ସ୍ଵାକ୍ଷର
ସ୍ଵାକ୍ଷର
ଜୀବନର ପାଣ୍ଡୁଲିପି ପୃଷ୍ଠା ପୃଷ୍ଠା ହୋଇ
ପବନରେ ଉଡ଼ିଗଲା କାହିଁ
ବାକି ଯା ରହିଲା ଖାଲି ଛିନ୍ନ ପୃଷ୍ଠା ମାନ
ଶୋଣିତର ନାଲି ଗାର ବହି।
ନିରେଖି ଚାହିଁଲେ ମୁହିଁ ସବୁ ପୃଷ୍ଠା ତଳେ
ରହିଅଛି ଗୋଟିଏ ମୋହର
ଜଳୁଅଛି ମୋ ହୃଦୟେ ଶିଳାଲିପି ହୋଇ
ତହିଁ ଅଙ୍କା ଅଗ୍ନିର ସ୍ଵାକ୍ଷର।
ଲିଭାଇବା ପାଇଁ ଯେତେ ଢ଼ାଳୁଅଛି ମୁହିଁ
ନୟନର ଅଫୁରନ୍ତ ଜଳ
ଶୁଖାଇବା ପାଇଁ ତୋତେ ଦିଏ ମୁଁ ଜଳାଇ
ହୃଦୟର ଦୀର୍ଘ ଶ୍ୱାସ ଜାଳ ।
ସେ ଜ୍ୱାଳାର ବିନ୍ଦୁ ମାତ୍ର ନାହିଁ ଉପଶମ
ସମୁଦ୍ରର ବାଡ଼ବାଗ୍ନି ସେତ
ଜଳୁଥିଲା ଯିଏ ଦିନେ ହୃଦୟ ମନ୍ଦିରେ
ହୋଇ ସ୍ନେହ ଦୀପ ସୁବାସିତ।
ସାମାନ୍ୟ ପବନେ ଅବା ଯିବ ବୋଲି ଲିଭି
ଢାଙ୍କି ଥିଲି ଅଭୟ ପଣତ
ପ୍ରଳୟଙ୍କରୀ ସେ ଝାଞ୍ଜି ବହିଗଲା ଥରେ
ସବୁ କରି ଦେଇ ଇତସ୍ତତ ।
