STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ବୟସ ହଜାର କଟକ ନଗର

ବୟସ ହଜାର କଟକ ନଗର

1 min
416


ବାଲିପଠା ନାଲି କୋଠା କାଠଯୋଡି ବନ୍ଧ

ଝିଲିମିଲି ରଙ୍ଗ ତାର, ହଜିଯାଏ ନିଦ

ସପନ ଲଗାଏ ଏଠି ପ୍ରୀତିର ମୋହର

ନଜର ମୋ ଚୋରି କରେ ଅତି ମୋ ନିଜର

କଟକ ନଗର ଆହା ଧବଳ ଟଗର

ବୟସ ହଜାର ନିତି  ପାର୍ବଣ ମୁଖର ...

     

ରଜରେ ସିନେମା ନୂଆ ନୁନ୍ ସୋ ଭିଡ

ତ୍ରିଶୁଳିଆ ନୂଆ ପୋଲ ବହେ ପ୍ରେମ ଝଡ

ଗଣେଶ ପୂଜାରୁ ଆରମ୍ଭ ପାର୍ବଣର ଋତୁ

 ପୂଜା ଆଉ ଭସାଣୀରେ ମନ କୁତୁକୁତୁ

ଏମିତି ଏ ସହର କରେ ସଭିଙ୍କୁ ନିଜର

କଟକ ନଗର ଆହା ଧବଳ ଟଗର ..


ତାରକସି ଚାନ୍ଦି ମେଢ଼ ଦଶରା ରାତିରେ

ପବନ ଅଟକି ଯାଏ ଫୁଲର ଛାତିରେ

ଭାରି ଭଲ ଲାଗେ ଏଠି ବହଳ ଅନ୍ଧାର

ଛାଇ ଛାଇ ନିଦ ଲାଗେ ଆହୁରି ମଧୁର 

ଅମାନିଆ ମନେ ମୋର ପ୍ରେମର ଯୁଆର

କଟକ ନଗର ଆହା ଧବଳ ଟଗର ।


ସାଜସଜ୍ଜା ପୂଜା ମଜା ଜମେ ଗୀତ ନାଚ  

ଆଲୁଅରେ ଝଲମଲ ସବୁ ପୂଜା ମଞ୍ଚ    

ରାତି ଆସେ ମେଲିଦେଇ ରଙ୍ଗର ପସରା

ସପ୍ତମୀରୁ ଦଶମୀ ତ ଜମଇ ଦଶରା

ଦାଣ୍ଡିଆରେ ଝୁମିଯାଏ ପ୍ରେମର ନଜର

କଟକ ନଗର ଆହା ଧବଳ ଟଗର ....


 ସୁନା ରୁପା ଗହଣାକୁ ସୁନାଚାନ୍ଦି ମେଢ

 ଆକାଶକୁ ଛୁଇଁଯାଏ ଗେଟ୍ ବଡବଡ

 ସଞ୍ଜ ଆସୁଆସୁ ଏଠି ଜମିଯାଏ ଭିଡ

 ପାଟ ଶାଢ଼ୀ ଫୁଲ କଢି ନୂଆ ଜାମାଯୋଡ

 ପ୍ରିୟାର କବରୀ କରେ ପ୍ରାଣକୁ ଅଧୀର

 କଟକ ନଗର ଆହା ଧବଳ ଟଗର..


ଗଡଗଡିଆ ଘାଟରେ ବାଲିଯାତ୍ରା ଭିଡ

ଆଲୁଅର ରୋଷଣୀରେ ଉଠେ ବାଲିଝଡ

ଖିଆପିଆ ବୁଲାବୁଲି ଦେହ ଘଷାଘଷି

ଅଜଣା ପୁଲକ ମନେ ହୋଇଯାଏ ନେସି

ଶିଶିର ସଜାଡେ ସତେ ଶୀତର ଚଦର

କଟକ ନଗର ଆହା ଧବଳ ଟଗର...


ରମ୍ ଜାନ୍ ଇଦୁଲ୍ ଜୁହା ଅବା ବଡଦିନ

ସହରଟା ବାଣ୍ଟେ ସତେ ଦୁନିଆକୁ ସ୍ୱପ୍ନ

ନୂଆବର୍ଷ ନୂଆମନ ଭାବ ଦିଆନିଆ

ରଙ୍ଗିଲା ମନରେ ଲାଗେ ବୟସର ନିଆଁ

ରଙ୍ଗରେ ଭିଜେଇଦିଏ ହୋଲିରେ ଅବିର 

କଟକ ନଗର ଆହା ଧବଳ ଟଗର ...


ଏ ବରଷ ସହରଟା ହୁଏ ବାଟବଣା

କରୋନା ଡରରେ ଏବେ ଭାରି କଟକଣା

ସବୁ ପର୍ବ ପର୍ବାଣୀରେ ଲାଗୁଛି ଲଗାମ

କରୋନା କୋପରେ ସାରା ଦୁନିଆ ବେଦମ

ଦୁର୍ଗତି ନାଶିନୀ ମାଆ ବାରେ ଦୟାକର

ସବୁ କଟିକିଆଙ୍କର ମିନତି ମାତର

ମହାମାରୀ କବଳରୁ ମାଗୋ ରକ୍ଷା କର

ମହାମାରୀ କବଳରୁ ମାଗୋ ରକ୍ଷା କର

କଟକ ନଗର ଆହା ଧବଳ ଟଗର ...


     


  

  


Rate this content
Log in

Similar oriya poem from Tragedy