STORYMIRROR

Upendra prasad Mahala

Tragedy Others

4  

Upendra prasad Mahala

Tragedy Others

ଲୁହ

ଲୁହ

2 mins
237


ଯିଏ ମନକୁ ସାନ୍ତ୍ବନା ଦିଏ
ଅଭିମାନର କୋହ ବୁଝେ
ନୀରବତାକୁ ଭଲ ପାଏ
ଜୀବନର ଆତୁରତାକୁ ଚିହ୍ନେ
ମନ ସମୁଦ୍ର ଢେଉରେ ଭାସେ
ରକ୍ତନାଳୀରୁ ନୀଳ ଶିରାଦେଇ
ଆଖି କୋଣରୁ ଝରିପଡେ
ସେ ଲୁହ।


ତା'ପରି କେହି ନାହି
ଜନ୍ମରୁ ସାଥୀ ହୁଏ,
ଦୁଃଖସୁଖରେ ଭାଗୀ ହୁଏ
ଅନ୍ତରାତ୍ମାର ରଂଗ ମାଖିହୁଏ
ଶୀତଳ, ନିଷ୍ପାପ, ପବିତ୍ର
ସେ ହସ ଓ କାନ୍ଦ।
ସେ ଲୁହ।


ସଞ୍ଚି ରଖିଲେ ବରଫ ପାହାଡ଼
ଭଳି ଜମାଟ ବାନ୍ଧିଯାଏ
ଝରିଗଲେ ବୁଣେ ଶୀତଳତା
ମନ ଭାଂଗି ପଡିବା ବେଳେ
ସବୁ ଦୁଃଖର ଗରଳ ପିଇ
ଲବଣାକ୍ତ, ରକ୍ତାକ୍ତ ହୁଏ
ଆଖି କୋଣରେ ଖୁଞ୍ଚି ହୋଇ
ଝରି ଯିବାକୁ ବ୍ୟଗ୍ର ହୁଏ
ସେ ଲୁହ।


ଶୈଶବର କଅଁଳ ହୃଦୟ ଭଳି
ଅମଳିନ, ଛଳଛଳ।
ସେ ବୁଝେ ଖେଳନା ଭାଂଗି
ଯିବା ବେଳର ଅଚିହ୍ନା ଦୁଃଖ
କିଶୋରୀ ପ୍ରେମିକାର ଅଝଟ
ବୋଉବାପାଙ୍କ ଅ।ଖିରେ
ସ୍ନେହ ସମୁଦ୍ରର ଗଭୀରତା
ସେ ଦେଖେ ଯୌବନ ଡେଣାରେ
ସ୍ବପ୍ନ କେମିତି ଉଡିବୁଲେ
ଜୀବନ ସାଥୀର ମନ ଜିତିବାକୁ
ବାଜି ଲଗାଇ ଅଧରାତିରେ
ରକ୍ତର ନଈ ପହଁରିଯାଏ ।
ସେ ବୁଝେ ବାର୍ଦ୍ଧକ୍ୟ ଅସହାୟତା,
ପଡିଉଠି ଚାଲିବାର ଦୁଃଖ
ସବୁ ବିପଦ ଆପଦରେ ଯେ
ଦରଦୀ ହାତ ବଢାଏ
ଅନ୍ତରଂଗ ବନ୍ଧୁଭଳି
ସେ ଲୁହ।


ମନକୁ ବୁଝାଏ, ଅ।ଶ୍ବସ୍ତ କରେ
କହେ "ଧୈର୍ଯ୍ୟ ଧର, ଅପେକ୍ଷା କର
ଆସନ୍ତାକାଲିର ନୂଆ ସକାଳ
ଆସିବା ଯାଏ।
କେହି ସାହା ନ ଥିଲେ ମୁଁ ଅଛି,
ଝରିଯାଇ ନେଇ ଆସିବି
ନୂଆ ସ୍ବପ୍ନ, ଶାନ୍ତି ଓ ନିର୍ମଳତା
ଭଂଗା ଜୀବନକୁ ସଜାଡିବା ଲାଗି
ଶୋଷି ନେବି ଦୁଃଖ ଓ କ୍ଳାନ୍ତି
ଧୋଇ ଦେବି ଅନ୍ତରାତ୍ମାର ଯେତେ
ଅଳନ୍ଧୁ ଲଗା ବିଷାଦ, ମଳିନତା
ସନ୍ତପ୍ତ ହୃଦୟକୁ ଶୀତଳାଇ
ଭରିଦେବି ନୂଆ ଚେତନା।"


"ମୋତେ ଖାଲି ସନ୍ତୋଷରେ
ଥରେ ଝରି ଯିବାକୁ ଦିଅ
ନିଜ ଓଠରେ ଶୋଷି ନେଇ
ଦେଖ ଜୀଵନ ଭଳି ମୁଁ କେତେ
ଲବଣାକ୍ତ ଓ ମଧୁର !!
ମୋତେ ଚିହ୍ନ !!
ମୁଁ ଭାଂଗି ଦେଇପାରେ
ଅଭିମାନୀ ଦୁର୍ଯୋଧନର ଅହଂକାର
ବୁଡାଇ ଦେଇପାରେ ଦ୍ବାରିକାକୁ
ଅଥଳ ସମୁଦ୍ର ଗର୍ଭରେ।
ବଦଳାଇ ପାରେ ଇତିହାସର
ଗତି । ମୁଁ ଲୁହ।"

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy