ମହାକାଳର ଅନ୍ୟ ନାମ "କୋଭିଡ୍-୧୯ "
ମହାକାଳର ଅନ୍ୟ ନାମ "କୋଭିଡ୍-୧୯ "
ଆଧୁନିକ ରୋଗ ଅଟଇ କୋରନା,
ବିଶ୍ବର ସେ ମହାମାରୀ ।
ତାହରି ଆତଙ୍କେ ବିଶ୍ବ ଆତଙ୍କିତ
ଅକାଳେ ଯାଆନ୍ତି ମରି | |
ବିଶ୍ବର ଦ୍ବିଶତବିଂଶତି ରାଷ୍ଟ୍ରରେ,
ବ୍ୟାପିଅଛି ଏହି ରୋଗ ।
ନାମ ତା'ର କୋଭିଡ୍-ଉନବିଂଶ ଅଟେ,
ଦେଇଥାଏ ନର୍କ ଭୋଗ ।।
କରୋନା ଭୂତାଣୁ ଅତି ଭୟଙ୍କର,
ହୁଏ ଶୀଘ୍ର ସଂକ୍ରମିତ ।
ତା'ର କବଳରୁ ନ ମିଳଇ ରକ୍ଷା,
ହୁଅନ୍ତି ସର୍ଵେ ପିଡୀତ ।।
ଥଣ୍ଡା-କାଶ ଜ୍ବର ପୁଣି ଗଳାପୀଡା,
ତରଳଝାଡା ଲକ୍ଷଣ ।
ଶ୍ବାସ-ପ୍ରଶ୍ବାସେ ହେଲେ ବାଧା ସୃଷ୍ଟି
କୋଭିଡ୍-ରୋଗ ଏ ଜାଣ ।।
ଆକସ୍ମିକ ଭାବେ ହେଲେ ଶ୍ବାସରୁଦ୍ଧ
ଅବସ୍ଥା ସଂକଟାପନ୍ନ ।
ତତ୍କାଳେ ରୋଗୀକୁ ଆମ୍ବୁଲାନ୍ସ ଯୋଗେ
ନିଅନ୍ତି ସ୍ବାସ୍ଥ୍ୟ ଭବନ ।।
କେହି ତ କହନ୍ତି ବିଦେଶୀ ରୋଗ ଯେ,
ଏ ରୋଗ ଅଟେ ପ୍ରାଚୀନ ।
ବାଦୁଡି ପକ୍ଷୀର ଦେହରୁ ଭୂତାଣୁ,
ହୋଇଅଛି ଯେ ଉତ୍ପନ୍ନ ।।
ମାନବର ଏହା ଅଟେ ମହାଶତ୍ରୁ
ବିଶ୍ବ ଡାକେ ତ୍ରାହି ତ୍ରାହି ।
ମହାବିନାଶକ ଏ ରୋଗ ଦାଉରୁ ,
ନିସ୍ତାର ମିଳଇ ନାହିଁ ।।
ରୋଗୀକୁ କଦାପି ନ କରିବ ଘୃଣା,
ରୋଗ ଅଟେ ସଦା ଘୃଣ୍ୟ।
ସଂପ୍ରତି ରୋଗୀକୁ କରି ହତାଦର,
ହୋଇଅଛୁ ହୀନମନ୍ୟ ।।
ସାମାଜିକ ବ୍ୟବଧାନତା ନାମରେ,
ସମସ୍ତଙ୍କୁ କରୁ ଘୃଣା ।
ମାନସିକ ଭାରସାମ୍ୟକୁ ହରାଇ,
ମନୁଷ୍ୟ ପାଏ ଯାତନା ।।
ସମାଜେ ରୋଗୀର ଯତ୍ନ ପରିବର୍ତ୍ତେ,
କରିଥାନ୍ତି ଅଣଦେଖା ।
ତାହାର ସୁସ୍ୱାସ୍ଥ୍ୟ ନିମନ୍ତେ କେହି ତ,
ଦେଇନଥାନ୍ତି ସୁରକ୍ଷା ।।
କୋଭିଡ୍ ର ନିରାକରଣ ସକାଶେ,
ସରକାରୀ ବିଜ୍ଞାପନ ।
ତା'ସହିତ ଗଣମାଧ୍ୟମରେ ମଧ୍ଯ ,
କରାଯାଏ ସଚେତନ ।।
ଆଶାକର୍ମୀ-ସ୍ବାସ୍ଥ୍ୟକର୍ମୀଙ୍କ ସମେତ,
ଅଙ୍ଗନବାଡିର ଦିଦି ।
ମନ-ପ୍ରାଣ ଦେଇ କୋଭିଡ୍ କାର୍ଯ୍ୟରେ,
ହୋଇଗଲେ ସର୍ବେ ଛନ୍ଦି । ।
ଚିକିତ୍ସକ ସହ ସୁରକ୍ଷାକର୍ମୀଏ,
ହେଲେ ତ କରୋନା ଯୋଦ୍ଧା ।
କୋଭିଡ୍ ନିୟମ ଆଳରେ ସଭିଙ୍କୁ
ଦିଆଗଲା ବହୁ ବାଧା ।।
କୋରନା ସ୍ଥିତିକୁ କରି ସର୍ବେକ୍ଷଣ,
କରିଲେ ତଥ୍ୟ ସଂଗ୍ରହ ।
ବହୁ ପ୍ରଶାସକ-ନେତା ମନ୍ତ୍ରୀମାନେ,
ସେବା କଲେ ଅହରହ ।।
ସଙ୍ଗରୋଧ କେନ୍ଦ୍ର ରହିଲେ ପ୍ରବାସୀ,
ରୋକିବାକୁ ସଂକ୍ରମଣ ।
ଚଉଦ ଦିନର ତାଙ୍କ ଅନୁଭୂତି,
ବର୍ଣ୍ଣିଲେ ହେବ ପୁରାଣ ।।
ଲକ୍ ଡାଉନ୍ ଆଉ ସଟ୍ ଡାଉନ୍ ର ଅବଧି
ବଢଇ ଯେ ବାରମ୍ବାର ।
ଅତି ଆବଶ୍ୟକ ସାମଗ୍ରୀର ମୂଲ୍ୟ,
ବଢୁଥାଏ ବହୁବାର ।।
ଅସାଧୁ ବେପାରୀ-ନେତା-ମନ୍ତ୍ରୀ ପୁଣି,
ପ୍ରଶାସକ-ଚିକିତ୍ସକ ।
ବିପର୍ଯ୍ଯୟ ବେଳେ ରାଷ୍ଟ୍ରରପାଣ୍ଟିକୁ
ଲୁଟିଲେ ସାଜି ଭକ୍ଷକ । ।
ମାନ ସେବାକୁ ମାଧବର ସେବା,
କହନ୍ତି ଆଦର୍ଶ କଥା ।
ଠିକଣା ସମୟେ ଭୁଲିଣ ଆଦର୍ଶ,
ସଭିଙ୍କୁ ଦିଅନ୍ତି ବ୍ୟଥା ।।
କାହାର ତ ପୁଷମାସ ହୁଏ ପୁଣି,
କାହାର ଯେ ସର୍ବନାଶ ।
ଧରମ ନାମରେ ଦେଶଦ୍ରୋହୀ ମାନେ,
ବିଶ୍ବାସେ ଦିଅନ୍ତି ବିଷ । ।
ପଞ୍ଚାୟତସ୍ତରୁ ରାଷ୍ଟ୍ର ପରିଯନ୍ତ,
କରୋନା ନାମେ ଦୁର୍ନୀତି ।
ଧର୍ମକୁ ସେମାନେ ମାରି ଆଖିଠାର
କରନ୍ତି ବହୁ ଅନୀତି ।୧୯।
ରୋଜଗାର ହୀନ ହୋଇଣ ଶ୍ରମିକ,
କର୍ମକୁ ଆଦରି ରହେ ।
ସଂସାର ତାହାର କେମିତି ଚାଲିବ,
ସବୁ ଦୁଃଖ କଷ୍ଟ ସହେ ।।
ରୋଗର ଭୟରେ ଜୀବନ ଜୀବିକା,
ହରାଇ ସେ ହୁଏ ନିଃସ୍ବ ।
ଆହାଃ ବୋଲି କେହି କହିବା ପାଇଁ କି,
ନାହିଁ ତା'ର କେ ନିଜସ୍ବ । ।
କୋରନାରେ ଯଦି ମରିଯାଏ ରୋଗୀ,
ନ ଛୁଅନ୍ତି ତା'ର ଶଵ ।
ପରିବାର ଯଦି ମଢାକୁ ଛୁଇଁଲେ,
ସମାଜୁ ବାସନ୍ଦ ହେବ । ।
ରୋଗର ଅସ୍ତିତ୍ବ ଲକ୍ଷଣ ଗୁଡିକ,
ଯଦି ଥାଏ କା' ଶରୀରେ ।
ବିନା ପରୀକ୍ଷାରେ ଭୟ ତ କରାନ୍ତି,
ବ୍ୟକ୍ତି ମୃତ୍ୟୁ ମୁଖେ ପଡେ । ।
ସାଧାରଣ ରୋଗ ଅଟେ ଥଣ୍ଡା-ଜ୍ବର
ନ ଥାଏ କାହାର ଭୟ ।
ପାରାସିଟାମଲ-ସେଟ୍ରିଜିନ୍ ସେବନେ,
ସୁସ୍ଥ ହୁଏ ସେ ନିଶ୍ଚୟ । ।
ସ୍ବଗୃହେ ରହିଣ ପ୍ରଶାସକ ଦଳ,
ଦିଅନ୍ତି ମିଥ୍ୟା ସୂଚନା ।
କରୋନା ଭୟରେ ନକରି ଭ୍ରମଣ,
ଦେଖାନ୍ତି କେତେ ବାହାନା | |
କୋରନା ବ୍ୟତିତ ଅନ୍ୟ ରୋଗର ଯେ,
ନ ହୁଏ ଚିକିତ୍ସା କା'ର ।
କୋଭିଡ୍ ପରୀକ୍ଷା ଯଥା ଶୀଘ୍ର କର,
କହୁଥାନ୍ତି ଯେ ଡାକ୍ତର । ।
ଅନ୍ୟାନ୍ୟ ରୋଗରେ ଯଦି ମତେ ରୋଗୀ,
କୋରନାରେ ମୃତ୍ୟୁ ତା'ର ।
ହେୟ ଜ୍ଞାନ କରି କହନ୍ତି ଡାକ୍ତର,
ହୋଇଣ ଅତି ନିଷ୍ଠୁର । ।
ସମଗ୍ର ବିଶ୍ବରେ ପୋକ-ମାଛି ପରି,
ମରନ୍ତି ଯେ ଲକ୍ଷାଧିକ ।
ଅକାଳ ବିୟୋଗ ହୁଏ ମାନବର,
ଏ ବଡ଼ ଦୁଃଖଦାୟକ । ।
ଆଶା-ଆଶ୍ବାସନା-ସ୍ନେହରେ ସାନ୍ତ୍ବନା
ଦେବା ଯଦି ପ୍ରବୋଧନା ।
ସଚେତନ ଦ୍ବାରା ରୋଗ ଉପଶମ,
ନିଶ୍ଚୟ ହୋଇବ ସିନା । ।
ସ୍ନେହ-ଶ୍ରଦ୍ଧା ଦ୍ବାରା ପ୍ରେମର ରଜ୍ଜୁରେ,
କଲେ ସଭିଙ୍କୁ ବନ୍ଧନ ।
"ବସୁଧୈବକୁଟୁମ୍ବକମ୍" ଏହି ମନ୍ତ୍ର,
ସାର୍ଥକ ହୋଇବ ଜାଣ । ।
ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗନିର୍ବିଶେକ୍ଷେ,
ରଖିବା ଯେ ଐକ୍ୟଭାବ ।
ବିଶ୍ବରୁ କୋରନା ନିଶ୍ଚେ ଦୂର ହେବ,
ଏ ସତ୍ୟ ବଚନ ଧ୍ରୁବ ।।