ଶୂନ୍ୟସ୍ଥାନ
ଶୂନ୍ୟସ୍ଥାନ
ହେ ମୋର
ମନର ମାନସୀ
ପ୍ରେମର ସରସୀ
କଳ୍ପିତ ପ୍ରେୟସୀ !
ବହୁତ କିଛି କହିବାକୁ ଇଚ୍ଛା ଥିଲା
କହି ପାରିଲିନି
ଶବ୍ଦ ସବୁ ଫୁଲ ପରି ଚହଟୁ ଥିଲା
ମାଳା ଗୁନ୍ଥି ହେଲାନି ।
ହେ ମୋର
ମନର ମୟୂରୀ
ହୃଦୟ ଶାୟରୀ
ଆତ୍ମାର କବରୀ !
ତୁମ ମୁଖାରବିନ୍ଦରୁ ଦୁଇ ପଦ ଶୁଣିବାକୁ
ଆଶା ରଖିଥିଲି
ତୁମ ଆଖି ଆଇନାରେ ମୋର ପ୍ରତିଛବି
ପଢିବାକୁ ଅନନ୍ତ ପତୀକ୍ଷା କଲି ।
ମାତ୍ର କରିବି ବା କ'ଣ ?
ନିରୁପାୟ ନିରୁତ୍ତର ସତ୍ତା ପ୍ରାୟ
ଶୁଣୁ ଶୁଣୁ ମନେ ମନେ ଗୁଣୁ ଗୁଣୁ
ସମୟ ବି ଉଡି ଚାଲିଲା
ବହୁତ କିଛି ବାକି ରହିଗଲା
ସମୟର ଚୌହଦୀରେ ସମାଧିସ୍ଥ ହେଲା ।
ଆଜି ବୟସରେ ଅପରାହ୍ନ ଆସନ୍ନ
ପକ୍ୱ କେଶରେ ଆଚ୍ଛାଦିତ ଆଚ୍ଛନ୍ନ
ତନୁରେ ସ୍ଥାଣୁତା ଦୃଶ୍ୟମାନ
ମନରେ ପୌଢତା ବିଦ୍ୟମାନ
କଥନ ଶ୍ରବଣରେ ବିଦ୍ଵତା ଜାଜଲ୍ୟମାନ ।
ଆଜି ଜାଣିପାରୁଛି ଏ ଦୀନ ହୀନ ଅକିଞ୍ଚନ
ଜ୍ଞାନନେତ୍ରେ ସବୁ ସଠିକ୍ ଚିତ୍ର ଉତ୍ତୋଳନ
ସବୁ ପବିତ୍ର ପ୍ରେମରେ
ସବୁ କଳ୍ପିତ ଭଲ ପାଇବାରେ
ଅଧା-ଅଧୁରା ଖାଲିପଶ
ମନ - ହୃଦୟରେ ବିରାଟ ଶୂନ୍ୟସ୍ଥାନ
ବାକି ରହିଯାଇଥିବା କିଛି ମନନ କଥନ
ଶୁଣି ପାରି ନଥିବା ଅନେକ ପ୍ରେମ ନିବେଦନ
ସବୁ ପୂର୍ଣ୍ଣ ପ୍ରେମର ପୂର୍ଣ୍ଣଛେଦ ବପନ
ସବୁ ସଂପୂର୍ଣ୍ଣ ମନ ଦେବା ନେବାରେ
ସଫଳ ରୂପାୟନ ।
