ଅମାବାସ୍ୟା
ଅମାବାସ୍ୟା
ଫି -ଦିନ ସିନ୍ଦୁରା ଫିଟିଲେ
ବୀଣା ଆଉ ବଂଶୀର ଯୁଗଳବନ୍ଦୀ ସହିତ
କୋଇଲି ବି ସମାନ୍ତରାଳ ଭାବେ ତାଳ ଦେଉଥାଏ,
ପ୍ରତ୍ୟେକ ଦିନ ସୂର୍ଯ୍ୟ
ମୋତେ ଆଉଟିକେ ଟିକେ ପଚାଏ l
ଲହଡି ଭାଙ୍ଗୁଥିବା ଇଚ୍ଛା ଗୁଡିକର
ସେ ସଫ୍ଟକପି ପଠାଇ ଦିଏ,
ମୋ ଲୋମକୂପ ମାନଙ୍କରେ ଫେରିବାର
ପ୍ରତିଶୃତି ପୁଣି ମହକି ମହକି ଯାଏ ।
କିଏ କହେ ତୁମ ନଜର ଲାଗିଗଲା l
ମୁଁ କହେ ନଜର ବି ହେଉ ,
କିଛିତ ତୁମଠାରୁ ମୋ ଯାଏଁ ଆସି
ମୋତେ ଛୁଇଁ ଛୁଇଁ ଗଲା l
ତୁମ ଚିଠିର ଚାରି ପୃଷ୍ଠାପଢି
ନିକାଞ୍ଚନ ଦେଖି ଏକଲା କାନ୍ଦେ
ଆଉ କିଛିଲୁହ ଘରକୁ ଫେରୁ ଫେରୁ
ମୋ ପତା ଭିତରେ ଅନ୍ୟ ମାନଙ୍କ ଆଖି ଆଢୁଆଳୁ
ସୁରକ୍
ଷିତ ରଖିଦିଏ
ଦୁରେଇ ରହି ସୁଖ କେତେ, ଦୁଃଖ କେତେ
ନିଦ୍ରା କେତେ ଅନିଦ୍ରା କେତେ
ଆୟ କଲି ଜାଣିନି,
ଆତ୍ମା ବିକି କିନ୍ତୁ
ଜୀବନ ବୀମା କରିଦେଲି
ଆଉ ଏବେ ଭାବୁଛି ହାନୀରେ ନା ଲାଭରେ
କିଏ?
ମୁଁ ନା ବୀମା କମ୍ପାନୀ?
ମୋତେ ଜନ୍ହର ରାଣ ଦେଇ
ସେ ମନଖୋଲା ହସି ଡାକୁଥାଏ ଖାଲି ଆ, ନା ଫେରି ଆ l
କେମିତି ବୁଝାଇ ଦେବି ତାକୁ ଘର ଠିକଣା ବୋଲି କିଛି ମୋ ନାହିଁ,
ମୁଁ ବି ମୁଁ ନୁହେଁ
ମୁଁ ଗୋଟେ ସ୍ତ୍ରୀ, ଗୋଟେ ମା l
ତୁମ ସେପଟର ଏବେ ଅଲଗା ଦୁନିଆ
ତାରା ଜଡ଼ା ରାତିର ପଣତକୁ ଶୋଭା ପୁର୍ଣମୀ ଜହ୍ନ ଛନଛନିଆ
ଏଠି ପରା ଖାଲି କଳା କିଟ କିଟ ଅମାବାସ୍ୟା!!