ଏ ଜୀବନ
ଏ ଜୀବନ
ଏ ଜୀବନ ଏକ ଯାତନା
ବଞ୍ଚିବାର ଏକ ଦ୍ଵନ୍ଦ
ଆଶା ଆଉ ପ୍ରତ୍ୟାଶାର
ଏକ ଅତୃପ୍ତ ଆତ୍ମା
ଦୁଃଖ ଆଉ ଯନ୍ତ୍ରଣାର
ଏକ ଅନିର୍ଦ୍ଦିଷ୍ଟ ପର୍ବ
ସଂଗ୍ରାମର ଏକ ଉପାଦାନ
ସୁଖ ଆଉ ଶାନ୍ତିର ଏକ
ଅପେକ୍ଷାରତ ବାଟୋଇ
ଅସମାହିତ ସ୍ୱପ୍ନର ଏକ
ଉଦ୍ଭଟ ସୌଦାଗର
ସ୍ୱପ୍ନ ବିଜଡିତ ଅବାସ୍ତବ ପୃଥିବୀର
ଏକ ଅସଫଳ ନାୟକ
ଅବ୍ୟକ୍ତ ହୃଦୟର ଦୁଇଟୋପା ଲୁହ
ଆଶା ଆଉ ଅତୀତର ଏକ
ସ୍ମୃତିଭରା ଆଲେଖ୍ୟ
ନିରାଶା ଆଉ ଅସହାୟତାର
ଏକ କରୁଣ ଦୃଶ୍ୟପଟ୍ଟ
ସୁଖ ଆଉ ସମୃଦ୍ଧିର ଏକ
ପ୍ରବଞ୍ଚିତ ଆଶ୍ୱାସନା
ଗର୍ବ ଆଉ ଅହଂକାରର
ଏକ ବିଶ୍ଵବିଜୟୀ ସମ୍ରାଟ
ଭୟ ଆଉ ଅପସ୍ମାରର
ଏକ ଆତଙ୍କିତ ହୃଦୟ
ହିଂସା ଆଉ ଧ୍ବଂସର
ଏକ ନିର୍ମମ ଖଳନାୟକ
ଅର୍ଥ ଆଉ କାମର
ଏକ ନୃଶଂସ ପ୍ରାଣହନ୍ତା
ଚରମ ସଫଳତାର ଏକ
ଜାଜୁଲ୍ୟ ଉଦାହରଣ l
ଅସରନ୍ତି ପ୍ରାପ୍ତିର ଏକ
ଅସନ୍ତୁଷ୍ଟ କ୍ରୀଡ଼ନକ
ସ୍ରଷ୍ଟାଙ୍କର ଏକ ସୃଷ୍ଟି
ପାପ ଆଉ ପୁଣ୍ୟର
ଏକ ଅହେତୁକ ପ୍ରଶ୍ନବାଚୀ?
ଭୋଗ ଆଉ ତ୍ୟାଗର
ଏକ ବିସ୍ମୟ ଅଭିବ୍ୟକ୍ତି
ରହସ୍ୟ ଆଉ ବିଡମ୍ବନାର
ଏକ ଅନାବିଳ ଦୂରତ୍ୱ
ଭୋଗବାଦ ଆଉ ବସ୍ତୁବାଦର
ଏକ ପ୍ରଶଂସକ ଆଉ ନିନ୍ଦୁକ
ଆଧ୍ୟାତ୍ମବାଦର ଏକ
ଅବାଂଛିତ ଧାର୍ମିକ
ଲଜ୍ଜା ଆଉ ଶାଳୀନତାର
ଏକ ଅଭିନୀତ ଚରିତ୍ର
ବ୍ୟର୍ଥ ସ୍ୱାଭିମାନର
ଏକ ଅସ୍ପଷ୍ଟ ପୁରୋଧା
ଔଦ୍ଧତ୍ୟର ଏକ
ଅଶାଳୀନ ଇଙ୍ଗିତ
ଶୈଶବର ଏକ ଅଜ୍ଞାନତା
କୈଶୋରର ଏକ ଜିଜ୍ଞାସା
ଯୌବନର ଏକ ଉନ୍ମାଦନା
କାମ ଆଉ ପ୍ରବୃତ୍ତିର ଉଦ୍ଗାତା
ସ୍ୱପ୍ନ ଆଉ ପ୍ରୀତିପ୍ରାବଲ୍ୟର
ଏକ ବ୍ୟାକୁଳିତ ସଂଯୋଜନା
ବୟସର ଅପରାହ୍ନରେ ଏକ
ମର୍ମାନ୍ତିକ ଅବଶୋଷ
ଶୂନ୍ୟତାର ନିଃସଂଗତା
ହାର-ଜିତ ର ହିସାବ ନିକାଶ
ନ୍ୟାୟ-ଅନ୍ୟାୟ, ସତ୍ୟ-ଅସତ୍ୟ
ଧର୍ମ-ଅଧର୍ମ, କର୍ମ-ଅକର୍ମ
ଭୁଲ-ଠିକ ର ଅନୁଶୋଚନା
ଏକ ଚେତନାବାହୀ ଜଟିଳ ତର୍ଜମା
କାମ-କ୍ରୋଧ, ଲୋଭ-ମୋହ, ମଦ ଆଉ ମାତ୍ସର୍ଯ୍ୟର
ଏକ କ୍ଷତବିକ୍ଷତ ଦୁର୍ବାର ସମର୍ଥକ
ବିବେକର ନିନ୍ଦୁକ ଆଉ
ପ୍ରବୃତ୍ତିର ପ୍ରଶଂସକ
ମନ ଆଉ ପ୍ରକୃତିର ପ୍ରରୋଚିତ ଅଭ୍ୟର୍ଥନାରେ
ବୁଲିଆସେ ଏ ବିଶ୍ୱ ବ୍ରହ୍ମାଣ୍ଡ
ଗୋଟିଏ ମୁହୂର୍ତ୍ତରେ l
ସମୟର ଉଜାଣି ସ୍ରୋତରେ
ଭାସିଯାଏ ଏକ ଶୁଷ୍କ ତୃଣ ପରି
ତଥାପି ଗର୍ବର ଉଦ୍ଦାମତାରେ
ଛାତି ଫୁଲେଇ ଠିଆ ହୋଇଥାଏ
ଏକ ସ୍ୱପ୍ନବିଧୁର ମାୟା ଜାଲ ରଚିଥିବା
ବାଲି ଦ୍ୱୀପ ପରେ l
ଏଇ ଭବରଙ୍ଗ ଭୂମି ତଳେ
କାଳର ନିୟମନାରେ
ବିଧିର ସଂଯୋଜନାରେ
ଯେତେବେଳେ ହୁଏ
ବାର୍ଦ୍ଧକ୍ୟର ଆଗମନ
ସବୁ ତୁଚ୍ଛ ମନେ ହୁଏ
ମାୟା ଘେରା ଏଇ ପ୍ରଲୁବ୍ଧ ସଂସାର
ଧନ-ଜନ-ପରିବାର, ଆତ୍ମୀୟ-ସୋଦର
ସମୟର ଅନ୍ତିମ ପଥରେ
ସକଳ ବନ୍ଧନକୁ ଚଟାପଟ ଡେଇଁ
ଛାଡେ ହରି ନାମ
ବେସୁରା ବେଢ଼ଙ୍ଗ ଶବଦେ
ଲଙ୍କାପୁରରେ ହରି ଧ୍ଵନି ପରି l
ଅତୀତକୁ ଭାବି
ଭୟ ଆଉ ଆଶଙ୍କାରେ ହୋଇ ଭୀତତ୍ରସ୍ତ
ନିଜର କର୍ମ ଫଳକୁ ବିଶ୍ଳେଷଣ କରି
ଚାହିଁ ବସିଥାଏ, କେତେବେଳେ
ଝାମ୍ପି ନେବ ମୃତ୍ୟୁ ତାକୁ
କ'ଣ ହେବ ପ୍ରାପ୍ତି ତାର?
ମୋକ୍ଷ, ନା ଜନ୍ମ-ମୃତ୍ୟୁର ଚକ୍ରବ୍ୟୁହରେ ପଡି
ଏମିତି ଜନ୍ମ ଜନ୍ମାନ୍ତର
ନିଜ କୃତକର୍ମର
ପ୍ରାୟଶ୍ଚିତ କରି ଚାଲିଥିବ?
ମରଣକୁ ବରଣ କରି
ମାତ୍ର ଛଅ ଖଣ୍ଡ କାଠରେ
ଚାଲିଯାଏ ଛାଡି ଏଇ
ଭୋଗର ପୃଥିବୀ
ହୋଇ ଶୂନ୍ୟ ହସ୍ତ
ଯେପରି ଆସିଥିଲା ସେ
ଧରି ଏଇ ଅବୟବ
ଶୂନ୍ୟପ୍ରସୁ-ଉଲଗ୍ନ ଶରୀର
ଏଇ ପୃଥିବୀ ବକ୍ଷରେ
ସଂଗ୍ରାମର ଶେଷ ପର୍ଯ୍ୟାୟରେ
ପ୍ରମାଣିତ କରିଯାଏ
ସବୁ ଏଠି ମିଛ
ମିଛ ଏଇ ଗର୍ବ-ଦମ୍ଭ, ମାନ-ଅଭିମାନ
ଅନ୍ତିମ ଯାତ୍ରାରେ
ନେପଥ୍ୟର ଶୂନ୍ୟ ବଳୟରେ
କହିଦେଇ ଯାଏ ଖାଲି
ରାମ ନାମ ସତ୍ୟହେ
ହରି ନାମ ସତ୍ୟହେ
ସମଶାନ ତୀରେ
ମୁଠାଏ ପାଉଁଶ ହୋଇ
ଲିଭିଯାଏ ସବୁଦିନ ପାଇଁ
ଏଇ ମହାକାଳ ବକ୍ଷରୁ
ଏକ ପରାଜିତ ଆଉ ନିହତ ସୈନିକ ପରି
ସଂଗ୍ରାମର ଏଇ ଜୀବନ ଯୁଦ୍ଧରେ
ଅସୁମାରୀ ଆଶା ଆଉ ଅବଶୋଷ ନେଇ
ଅନ୍ତିମ ବେଳାରେ
ଅବୋଧ-ଅଗମ୍ୟ ହୃଦୟର ବିଷ୍ପାରିତ ଲୁହରେ
ହାତ ଯୋଡ଼ି ପ୍ରଣିପାତ କରି କହେ
ହେ ଈଶ୍ୱର
ତୁମ୍ଭଙ୍କୁ କୋଟି ନମସ୍କାର l