Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sucharita Sena

Tragedy

4  

Sucharita Sena

Tragedy

ଆଉ କେତେଦିନ |

ଆଉ କେତେଦିନ |

2 mins
249


କୋମଳ ପାଦରେ ଠୁକୁଠୁକୁ ଚାଲି

ତା ସହ ପାଦରେ ପାଉଁଜି,

ରୁଣୁଝୁଣୁ ଶବ୍ଦେ ଚାରିଆଡ଼େ କମ୍ପେ

ଧରଣୀମାଆ କୋଳେ ଆଉଜି |

କୋମଳ ମୋତି ସେ ନାଆଁଟି କୋମଳ

ଗେଲ୍ଲୀ ସେଇ ମାଆ, ବାପାର,

ଛୋଟ ବେଳୁ ତାର ଶୈଶବ କଟିଛି

ବିଲ ବାରି ଆଉ ପଥର |

ହେତୁ ପାଇଁ ସେଇ ବାପାଙ୍କୁ ଦେଖିଛି

ବିଲରେ କିମିତି ଖଟନ୍ତି,

ଧାନ ମାଣ୍ଡିଆରେ ପୁରି ଯାଏ ଘର

ଖୁସିରେ ମୋ ମାଆ ହସନ୍ତି |

ଧୀରେଧୀରେ ଜାଣେ ବଡ ହେଲାପରେ

ଖୁସିରେ ମୋ ବାପା ନାହାନ୍ତି,

ଖୁସିର ରେଖାଟି ସତେ ହାତୁ ହଜିଗଲା

ଖାଲି ଉଜୁଡା ଫସଲ ଦେଖନ୍ତି |

ପାଣିର ଅଭାବେ ଉଜୁଡା ଫସଲ

ମାଟି ଫାଟି ଆଁ କରିଛି,

ମାଆ ମୋର କାନ୍ଦେ ବାହୁନି ବାହୁନି

ବାପା ମୂକ ପୁରା ପାଲଟିଛି |

ବୁଝି ମୁଁ ପାରେନି ଛୋଟିଆ ମୁଣ୍ଡରେ

କଣ ସବୁ ଘଟି ଯାଉଛି,

କର ଵସୁଲିଵା ନୋଟିସ ଆସିଛି

ବ୍ୟାଙ୍କ ଵାଲା ପଠେଇଛି |

ରାତି ସାରା ମାଆ ବୁଝେଇ ଚାଲିଛି

ସବୁ ଠିକି ହେଇଯିବ,

ମାଆ କି ଜାଣିଛି ବାପାଟି ମୋର

ରାତିରେ ଦଉଡ଼ି ଦେଇଦେବ |

କୋମଳ ମୋତିର କୋମଳ ହୃଦ୍ୱୟ

ବିଳାପ କରୁଛି ବସି,

କାଳର ଅନ୍ଧାରେ ବାପା ହଜିଗଲେ

ଖୋଜୁଛି ବାହାରେ ଆସି |

ମାଆ ଏବେ ଯାଇ ଖଟୁଛି କ୍ଷେତରେ

କୋମଳ ପିଛା ଛାଡ଼ୁନି,

ବାପା ଭଳି ଯଦି ମା ଚାଲିଯିବ

ନିଦ ତାକୁ ଜମା ମାଡୁନି |

ବାପା ଝୁଲିଥିବା ରଶି ଭଳି ଏବେ

ବାରିପଟେ ଗୋଟେ ପଡିଛି,

କୋମଳ ଦେଖିକି ଛାତି ଥରିଗଲା

ଦଉଡ଼ିଟି କିଏ ଆଣିଛି? |

ଆଖି ଅପଲକେ ଜଗି ବସିଛି ସେ

ରାତିରେ ଅନିଦ୍ରା ହୋଇ,

ଶୋଇପଡିଲେ କାଳେ ମାଆ ଚାଲିଯିବ

ତାକୁ ଏକାଟିଆ କରିଦେଇ |

ମାଆ ବୁଝି ଗଲା କୋମଳ ମନର

ଅକୁହା କଥାକୁ ସବୁ,

ଗୋଟି ଗୋଟି କରି ବୁଝେଇ କହିଲା

କାଲି ମୋ ସହ କ୍ଷେତକୁ ଯିବୁ |

କୂଅରୁ ପାଣି କାଢ଼ିବା ପାଇଁକା

ମା ରଶିଟି ଆଣିଥିଲା,

କୋମଲ ଦେଖିକି ହସିଦେଲା ଟିକେ

ଡରଟା ଉଭେଇ ଗଲା |

କୋମଳ ପରି କେତେ କେତେ ପିଲା

ଡରି ଡରି ବଞ୍ଚୁ ଥିବେ,

କେବେ ଏ ସମସ୍ୟା ସମାଧାନ ହେବ

ଚାଷୀ ଖୁସିରେ ସବୁ ରହିବେ ! |



Rate this content
Log in

Similar oriya poem from Tragedy