STORYMIRROR

DAMBURUDHARA BEHERA

Tragedy

4  

DAMBURUDHARA BEHERA

Tragedy

ମୁଁ ଜଣେ ପ୍ରବାସୀ ଶ୍ରମିକ

ମୁଁ ଜଣେ ପ୍ରବାସୀ ଶ୍ରମିକ

2 mins
167

ଦେଶ , ବିଦେଶକୁ ଯାଇ ବୁଲି ବୁଲି

କାମଧନ୍ଦା ମୋର ଖୋଜେ

ଦରକାର ବେଳେ ସ୍ତିରୀ, ପିଲା ଘେନି

ବିଦେଶରେ ଯାଇ ଖଟେ

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୧।।

କେବେ ପର ଘରେ ବାସନ ମାଜଇ

ରୋଷେଇ କରି ମୁଁ 'ଦିଏ

ପିଲା ଛୁଆ ଧରି , ଖେଳା ଖେଳି କରି

ରୋଜଗାର କରି ବଞ୍ଚେ

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୨।।

ଏତିକିରେ ଖାଲି ଦୁଃଖ ମୋ ' ନ ଯାଏ

କାନ୍ଦରେ ଅନେକ ଭାର

ଘର ପରିବାର ସକଳ କୁଟୁମ୍ବ

ଆଶ୍ରା କରି ହୁଏ ପାର

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୩।।

କଳକାରଖାନା ଆମରି ଜୀବନ

ଯନ୍ତ୍ର ମୋ' ସଂସାର ଚକ

ଅଖ ପରେ ଚକ ଘୂରେ ଦିନ ରାତି

ନ ଥିଲେ ନ ମିଟେ ଭୋକ

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୪।।

ଇଟା ଭାଟିରେ ମୋ' ଜୀବନ ବିତାଏ

ଖରା, ଝାଞ୍ଜି ନାହିଁ ଡର

କମ୍ପାନୀ ମାଲିକ, ଠିକାଦାର ବାବୁ

ନ ଥିଲେ ନ ଚଳେ ଘର

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୫।।

ପର କାମ କରି ପର ସେବା ପାଇଁ

ବିତୁଛି ଆମ ଜୀବନ

ପର ଲାଗି ଆମେ ଲଭିଛୁ ଜନମ

ରଖିବୁ ସବୁରି ମାନ

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୬।।

ନ ହେଲେ ମରିବି ମରିବେ ସକଳ

ପିଲା ଛୁଆ ପରିବାର

ମାନିକି ଚଲିବୁ, ଯାହା ଆଜ୍ଞା ଦେଲେ

ପ୍ରଭୁ ଆମ ସାଉକାର

ମୁଁ ଜଣେ ପ୍ରବାସୀ ଶ୍ରମିକ ।।୭।।

ଆମେ ତ କାହାରି ନକାଟୁ ପକେଟ

ଚୋରି କରୁ ନାହୁଁ ଘରୁ

ମୁଣ୍ଡ ଝାଳ ତୁଣ୍ଡେ ମାରି ପରଠାରେ

ଓଲେ ଖାଇ ଓଲେ ମରୁ

ମୁଁ ଜଣେ ପ୍ରବାସୀ ଶ୍ରମିକ।।୮।।

ଆମେ ନୁହଁ ଭାଇ ଦସ୍ୟୁ ରତ୍ନାକର

ପେଟେ କା'ର ଲାତ ମାରୁ

ତଣ୍ଟି ପରେ ଚାକୁ ପେଟରେ ଭୁଜାଲି

ଦେଖାଇ ସମ୍ପତ୍ତି ହରୁ

ମୁଁ ଜଣେ ପ୍ରବାସୀ ଶ୍ରମିକ।।୯।।

ଖୋଲା ଆକାଶଟା ଆମ ଘର ଛାତ

ବିଛଣା ଧରଣୀ ମୋର

ମାଟିର ଚାଦର ଢାଙ୍କି ଶୋଇଯାଉ

ଝାଟି ମାଟିରେ ମୋ' ଘର

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୦।।

ଯେବେ ପ୍ରଦେଶରେ କାମ ନ ମିଳଇ

ନିଜ ଦେଶେ ରଖୁ ପାଦ

କାମଧନ୍ଦା ଖୋଜି ମୁଲ ଲାଗିଥାଉ

ଧରି ବଡଲୋକ ପାଦ

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୧।।

କରୋନା ଡରରେ ରେଲ-ଲାଇନରେ

ଫେରୁ ରାଜପଥେ ଆଜି

କେହି ପାଦେ ଚାଲି ସାଇକେଲ ଧରି

ଜୀବନ ଲଗାଇ ବାଜି

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୨।।

କେହି କେହି ଭାଇ ଭୋକ ଉପାସରେ

ଅଧାବାଟେ ଚାଲିଗଲେ

କେହି ସମ୍ମୁଖୀନ ହୋଇ ଦୁର୍ଘଟଣା

ଡ଼ାକ୍ତରଖାନାରେ ମଲେ

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୩।।

କାହାରି ମହିଳା ନ ସହି ବେଦନା

ରାସ୍ତାରେ କଲେ ପ୍ରସବ

ତୁମେ କି ବୁଝିବ ଆମ ଦୁଃଖ କଷ୍ଟ

କୁଲି,ମଜୁରିଆ, ଭାବ

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୪।।

ଥିଲେ ଅପେକ୍ଷାରେ ଘରଣୀ ଆମର

ଜ୍ଞାନ୍ତି,ବନ୍ଧୁ,ସହୋଦର

ଦସ୍ୟୁ ରତ୍ନାକର ହୋଇ ପଚାରିଲେ

କୁହନ୍ତି ଦୋଷ ଆମର

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୫।।

ଆଉ କେତେ ଜଣ ଅନୁକମ୍ପା ପାଇ

ଫେରିଲେ ସ୍ବଦେଶ ଘର

ଗାଆଁ ସୀମାନ୍ତରେ ରହିଲେ ପଦାରେ

ହୋଇଲେ ସମାଜୁ ଦୂର

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୬।।

କଂସ ମାମୁଁ ସାଜି ସରକାର ଆମ

ଡାକି କରି ଆଣିଦେଲା

ଉଦ୍ଧାର କରିଲେ ପାଇବାକୁ ଯଶ

ଲୋକ ଅପବାଦେ ମଲା

ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୭।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy