STORYMIRROR

Kulamani Sarangi

Tragedy

4  

Kulamani Sarangi

Tragedy

ସମ୍ଭାଳ ଜେଜେ ପଗଡ଼ି

ସମ୍ଭାଳ ଜେଜେ ପଗଡ଼ି

2 mins
398


(ପଲ୍ଲୀ କବିତା)

.............................


ସପନି ଜେଜେଙ୍କ ପୁଅ ବିପିନ,

ଏକୋଇର ବଳା ବିଶିକେଶନ।

ଯେତେବେଳେ ପୁଅ ଗୁଣ ଗାଆନ୍ତି

ଫୁଲି ଉଠୁଥାଏ ଜେଜେଙ୍କ ଛାତି।

ସରବରାକାର ଘର ନାଆଁ ରେ,

ଡାକ ବାଜୁଥିଲା ଦଶ କୋଶରେ।


ନଈରେ ବହିଲାଣି କେତେ ପାଣି,

ଦଶ ବର୍ଷ ହେବ ଦେଖାହୋଇନି।

ଜେଜେଙ୍କୁ ଭେଟିଲି କାଲି ହାଟରେ,

ପରିବା ବସ୍ତାନି ଥିଲା ପିଠିରେ।

ବୟସ ଲାଗ ପାଟ ତିନି କୋଡ଼ି,

ଜେଜେ ଧରିଥିଲେ ବାଙ୍କୁଲି ବାଡି।

ତମ୍ବା ଛଡ ପରି ଲମ୍ବା ମଣିଷ,

ଦେହରେ ଥିଲା ଛପଳ ମାଉଁସ।

ଫତେଇରେ ଖାନଦାନୀ ଚେହେରା,

ଦିଶୁଥିଲା ତମ୍ବା ଭଳିଆ ତୋରା।

ପାକୁଆ ପାଟିରେ ଫୁଟାଇ ହସ,

ଜେଜେ ପଚାରିଲେ "କିରେ ହରିଶ ,

କୋଉ ଦିନଠୁ ତୁ ଆଇଲୁ ବାପା,

ଭଲ ଅଛି ସମସ୍ତଙ୍କ ଦେହାପା ?"

ସପନି ଜେଜେଙ୍କୁ ଜୁହାର କରି,

ପଚାରିଲି ଜେଜେ ଅଛ କିପରି,

ପୁଅ ବୋହୁଙ୍କ ର ସେବା କିପରି?"

ଶୁଣି ହସିଲେ ଜେଜେ କିରିକିରି।


ବଖାଣିଲେ ଜେଜେ"ଶୁଉଣୁ ହରି,

ପୁଅ ହବ ମୋର ବିପିନ ପରି।

ବୋହୂ ହବ ମୋର ତରା ସମାନ,

ବ୍ରହ୍ମାଣ୍ଡରେ ବୋହୂ କାହିଁ ଏସନ !

ଦିନ ରାତି ସେବା ବୋହୂର ପାଇ,

ବଇକୁଣ୍ଠ ଭୋଗ କରୁଛି ମୁହିଁ।

ଠାଆ ପରେ ହାତ ଧୋଇବା ବେଳେ

ନାତି ଆସି ପାଣି ହାତରେ ଢାଳେ।

ପୁଅ ଠିଆ ହୁଏ ଗାମୁଛା ଧରି,

ବୋହୂ ଦିଏ ଶୁଆ ଶେଜକୁ ପାରି।

ଜର, ଝାଡା ଛିଙ୍କ ବାଧିକା ହେଲେ,

ଦିନ ରାତି ସେବା କରନ୍ତି ପିଲେ।


ଜେଜେଙ୍କ ପରିବା ଭାରକୁ ଦେଖି,

କହିଲି"ସ୍କୁଟିରେ ଛାଡିଦେବିକି?

କୁନ୍ଥୁ କୁନ୍ଥୁ ହେଲେ ଜେଜେ ତା ଶୁଣି

ବସିଲେ ଶେଷରେ କି ମନେ ଗୁଣି।

ପହଞ୍ଚୁ ପହଞ୍ଚୁ ଜେଜେଙ୍କ ଘରେ,

ମାଡିଆସି ବୋହୂ ଦୁର୍ଗା ବେଶରେ।

ବୋଇଲା "ବାଡିପଡ଼ା କାହିଁ ଥିଲୁ,

ଏତେବେଳ କୋଉ ଚୁଲିରେ ମଲୁ?

ଭାତ ରାନ୍ଧିଦେଇ ବସିଚି ଚାହିଁ,

ପଶି ଥିଲୁ କାହା ଦୁଆରେ ଯାଇ?

ଉପାସରେ ଗଲା ସ୍କୁଉଲୁ ପୁଅ,

ତୁଉଣ ପେଇଁକି କାନ୍ଦୁଚି ଝୁଅ।

ବେଳ ସହଳରେ ଦଉଚୁ ଗେଫି,

ମଲା କଙ୍କଡାଟେ ନପାରୁ ଟେକି।"


ଭାରିଜାର ଶୁଣି ରଣ ହୁଙ୍କାର

ଗମ୍ଭିରୀରୁ ପୁଅ ହେଲା ବାହାର।

ବୋଇଲା"ଅକଲ ଟୋପାଏ ନାହିଁ,

ତିନି ଘଣ୍ଟା ଧରି ଥିଲଟି କାହିଁ?

କାଲିଠାରୁ ଭିନେ ହୋଇଯା ବୁଢ଼ା,

ତୋ ବାଟରେ ତୁହି ରହ ବାପୁଡ଼ା।

ସବୁଦିନ ଶୁଣି ଭାରିଯା ପାଲା,

ବିଚାରୁଚି କିଆଁ ନହେଲି କାଲା।

ଏସବୁ ମତେଟି ଲାଗୁନି ଭଲ,

ବାପା ତମ କଥା ତମେ ସମ୍ଭାଳ।"


ଶୁଣି ପୁଅ ବୋହୁଙ୍କର ଧମକ,

ମତେ ଚାହିଁ ଜେଜେ ହେଲେ ବେବାକ।

କହୁଥିଲା ତାଙ୍କ ନୀରବ ଆଖି,

"ଆଉ କଣ ମୋର ରଖିଲେ ବାକି?

କହିବୁନି ବାପା କାହିଁ ମୋ କଥା,

ଦାଣ୍ଡରେ କଟିଯିବ ମୋର ମଥା।

ନଙ୍ଗଳା କରନ୍ତୁ ପଛେ ମୋ ଲୋକ,

ବାହାରକୁ ଥାଉ ମୋ ଘର ଟେକ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy