STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଉର୍ମିର ଚିଠି

ଉର୍ମିର ଚିଠି

2 mins
550


ପ୍ରିୟ ସାଗର;

ଆକାଶେ ମେଘଭର୍ତ୍ତି

ବଉଦ ମୁହଁ କଳା

ବର୍ଷିବ ବର୍ଷିବ ହେଉଛି ଫୁଲେଇ ବର୍ଷା

ଝୁମ୍ ଝୁମ୍ ପାଉଜ ବଜେଇ

ନାଚୁଛି ଆକାଶ ଦାଣ୍ଡରେ

ବର୍ଷା ଦେହେ ନିଆଁ

ରାତି ଅନ୍ଧାର ତୁମକୁ ଅଣ୍ଡାଳୁଛି

ଜହ୍ନ ଲୁଚକାଳି ଖେଳୁଛି ବଉଦ ସଂଗେ

ମୁଁ କର ଲେଉଟାଉଛି ବାର ବାର

ଜହ୍ନ ବଉଦ ଗୋଡ଼ା ଗୋଡି ଦେଖି

ନିଃଶ୍ଵାସ ଘନ ଓଦା ତକିଆ।

ରାତି ଅଧେ ଉଠିପଡ଼ି

ଆଲବମ୍ ଫୋଟୋରେ ଛୁଉଁଛି ତୁମକୁ

କଥା ହେଉଛି ତୁମ ସହ

ନିର୍ଜନ ରାତି ନିଷ୍ଠୁର ହୋଇ

ମୋତେ ଅସହାୟ କରୁଛି

 ତାଳ ବଣୁ ବାଇଆ ବସାଟେ ଆଣି

କହୁଥିଲ 'ଉର୍ମି 'ଦେଖିଲ ଏମିତି ବସାଟେ

କରିବା କେବେ?

ବସା ତ ବାନ୍ଧିଲେ

ତୁମେ କିନ୍ତୁ ବସା ଖାଲି କରି

ଗୌତମ ବୁଦ୍ଧ ପରି ଝିଅ ଏକୋଇଶିଆ ଦିନ

ଯାଇଛ ଯେ ଯାଇଛ

ଝିଅ ଦୁଇବର୍ଷର ହେଲାଣି

ପାପା ପାପା କହି ଖୁବ୍ ଖୋଜୁଛି

ଫୋନ୍ କଲ୍ ଆସିଥିଲା ଆସିବ ବୋଲି

ରଥ ଯାତ୍ରାକୁ

କିନ୍ତୁ କଥା କଥାରେ ରହିଲା

ଅପେକ୍ଷା ମୋ ଲୁହ ନୁହେଁ ଲହୁରେ ଗାଧୋଇଲା।

ସବୁ ଅନ୍ତ ଘଟାଇ ତୁମେ ଫେରିଲ

ଆକାଶ ଢାଲୁଥିଲା ପାଣି

ମାଟି ସଜାଡ଼ିଲା ଧୂପ

ମଣିଷ ହୃଦୟରୁ ଝରୁଥିଲା ଶ୍ରାବଣ

ଏବଂ ତୋପ ଫୁଂକୁଥିଲା ଶଙ୍ଖ

ଜାତୀୟ ପତାକା ତୁମକୁ ଘୋଡେଇ ଦେଉଥିଲା

କାଳେ ତୁମକୁ ଶୀତ କରିବ!

କାଳେ ତୁମ ଦେହ ବର୍ଷାରେ ଭିଜି ଜର ହେବ!

ହୁତୁ ହୁତୁ ନିଆଁ ତୁମକୁ ସେକିଲେ

ପବନ ବଜାଇଲା ଧିମା ଧୂନ୍ ସଙ୍ଗୀତ

ଶହୀଦ ଅମର ରହେ କହି

ତୁମ ଗାଁ ପୋଖରୀ ଖୋଜୁଥିଲା

ଯେଉଁଠି ପହଁରା ଶିଖିଥିଲ

ତୁମ ଦେବତା ଦଧିବାମନ ଆଖି ଓଦା

ଯହିଁ ସନ୍ଧ୍ୟା କଟିଥିଲା ତୁମର

ସାନରୁ ବନ୍ଧୁକ ଧରିବା ବୟସ ପର୍ଯ୍ୟନ୍ତ

ନାଳ ପୋଲ ଗୁମୁରୁ ଥିଲା

ପ୍ରାୟ ବସି ସେଠି ଗପୁଥିଲ ସାଙ୍ଗସାଥୀ ସହ

ସମସ୍ତେ ଖୋଜୁଥିଲେ ଆତୁରେ

ତୁମେ କିନ୍ତୁ ହେ ସୀମାନ୍ତ ସିପେହୀ

ହୋଇଗଲ ମାତ୍ର ମୁଠିଏ ପାଉଁଶ।

ମୁଁ ତୁମ ଉର୍ମି "ସାଗର"

ଏବେ ନିତି ମୁଣ୍ଡ କୋଡେ ତୁମ ବେଳାଭୂମି ପର

ତୁମେ ଫେରିବନି ଜାଣେ ସାଗର

ତଥାପି ଶୁନ୍ ଶାନ୍ ଗହମ ଅନ୍ଧାରେ

ତୁମ ଚିଠି ପଢେ

ତୁମକୁ ଚିଠି ବି ଲେଖେ

ଲେଖିସାରି ତୁମ ଫୋଟୋକୁ ଶୁଣାଏ

କାନ୍ଦେ ଗୁମରି

ରାତି ଛାତି ଥରି ଉଠେ ମୋ କାନ୍ଦଣାରେ

ରହୁଛି ପ୍ରିୟ

ଭୋର ଆଲୁଅରେ ମୁଁ ବୀରାଙ୍ଗନା

ବୀର ଶହୀଦ ବିଧବା ପତ୍ନୀର ଅଭିନୟ କରିବି।

ଯେଉଁଠି ଥାଅ

ଭଲରେ ଥାଅ ସାଗର।

ଇତି

ଉର୍ମି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy