କବିତା - ସ୍ୱର ସଂସାର
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୦୬-୨୦୨୫
ଜୀବନ ଯେବେ ଯେବେ
ବଜେଇବ ମୃଦଙ୍ଗ
ଧେଙ୍ଗଡ଼ା ଧେଙ୍ଗଡୀ ପରି
କମର ଉପରେ ହାତକୁ ଧରି
ତୁମେ ବି
ଚାରି ପାଦ ଆଗକୁ ଡେଇଁ
ଖୋଳ କରତାଳ ସାଥେ ସାଥେ
ରଚେଇ ଦେବ ଏକ ଭିନ୍ନ ସୁଆଙ୍ଗ
ଜୀବନ ଯେବେ ଯେବେ
ବଜେଇବ ଡେଙ୍ଗୁରା
ଚଢ଼େଇୟା ଚଢ଼େୟାଣୀ ପରି
ହାତରେ ହାତ ଛନ୍ଦି ଫନ୍ଦି କରି
ତୁମେ ବି
ବାଦ୍ୟର ତାଳେ ତାଳେ ପାଦ ପକେଇ
ଦେଖଣାହାରୀ ଦେଖନ୍ତୁ ଆଖି ନଚେଇ
ଆରମ୍ଭ କରିଦେବ ଗୋଟେ ନୂଆ ପସରା
ଜୀବନ ଯେବେ ଯେବେ
ବଜେଇବ ବଇଁଶି
କେଳା କେଳୁଣି ପରି
ପିଚା ଉପର ଭାଗକୁ ଧରି
ତୁମେ ବି
ଛଳ ଛଳ ଛନ୍ଦ ଲୟକୁ ନେଇ
ଆଖିରେ ଆଖି ମିଶେଇ ନିରିଖେଇ
ରଚନା କରିଦେବ ଏକ ଭିନ୍ନ ସାଲିସି
ଜୀବନ ଯେବେ ଯେବେ
ବଜେଇବ କେନ୍ଦରା
ବେହିଆ ବେହିଆଣୀ ପରି
ଠିଆ ପୁଚି ମୁଦ୍ରାକୁ ଆୟତ୍ତ କରି
ତୁମେ ବି
ନିତମ୍ବକୁ ବଙ୍କେଇ କଂପେଇ କରି
ହଲେଇ ମେଲେଇ ଦୋହଲେଇ ପ୍ରସାରି
ପ୍ରାରମ୍ଭ କରିଦେବ ଏକ ଭିନ୍ନ ପସରା
ଜୀବନ ଯେବେ ଯେବେ
ବଜେଇବ ମାଦଳ
ସାନ୍ଥାଳ ସାନ୍ଥାଳୁଣୀ ପରି
କମର ପଛରେ ଛନ୍ଦା ଛନ୍ଧି କରି
ତୁମେ ବି
କରମା ର ଡାଲ୍ ରେ ଗାଇ ଗାଇ
ନିଶାରେ ଦେହ ଛାତିକୁ ଛୁଇଁ ମିଶେଇ
ଗଜୁରି ଦେବ ଏକ ଅଭିନ୍ନ ସଂପର୍କ କୋହଳ
ଜୀବନ ଯେବେ ଯେବେ
ବଜେଇବ ପେଁକାଳୀ
କୁମାର କୁମାରୀ ପରି
ଫୁଲ ଦୁବ ବରକୋଳି ପତ୍ର ପରି
ତୁମେ ବି
ମନ୍ଦିରକୁ ଯାଇ ଘଣ୍ଟା ବଜେଇ ମନେ ମନେଇ
ତୁଳସି ପାଣି କେଇ ଟୋପା ପିଇ ଦେଇ
କଳ୍ପନା କରିଦେବ ଏକ ନୂଆ ସଂସାର ଅର୍ଗଳୀ
ସାରାଂଶ
ଜୀବନ ଅଛି ମାନେ ହେବ ନାଟକ
ନାଟକ ହେବ ମାନେ ଉଠିବ ଫାଟକ
ସ୍ୱର ଝଙ୍କାର ହେବ
ଗୀତ ସଂଗୀତ ହେବ
ତୁରୀ ଭେରୀ ମହୁରୀ ବାଜିବ
ଯନ୍ତ୍ର ବାଛିବା କେବଳ ତୁମର
ସମୟ ଅନୁସାରେ ପରିସ୍ଥିତି ଦେଖି
ବଜେଇବା ବି ତୁମର
ଯଦି ଆଉ କିଏ ବଜେଇ ଦେଲା
ଜାଣ ବିପଦ ଘନେଇ ଆସିଲା
ମଧୁର ରାଗ ହେବ କରୁଣ
ସତ୍ୟାନାଶ ହେବ ଜୀବନ ଅରୁଣ
ଅକାଳେ ସକାଳେ ଉଠି ଆସିବ କଳାହାଣ୍ଡିଆ
ଗିଡ୍ ଗିଡ୍ ଅସ୍ତବ୍ୟସ୍ତ ହୋଇଯିବ ସବୁ ଟାଣପଣ ।