ସ୍ୱାର୍ଥ
ସ୍ୱାର୍ଥ
ସ୍ୱାର୍ଥପର ଅଟେ ଏଇତ ଦୁନିଆ
କିଏ ବା ଅଟେ କାହାର
ସ୍ୱାର୍ଥ ଥିବା ଯାକେ କହିବେ ନିଜର
ସ୍ୱାର୍ଥ ସରି ଗଲେ ଦୂର ।
ସ୍ୱାର୍ଥରେ ବନ୍ଧା ତ ଏଇତ ମଣିଷ
ସ୍ୱାର୍ଥରେ ସମ୍ପର୍କ ଗଢା
ଭାର ଥୁଆ ହେଲେ ଗୋଡ ଧୁଆ ହୁଏ
ଖାଇବା ହୁଅଇ ବଢା ।
ହାତେ ଯଦି କିଛି ଜିନିଷ ରହିଛି
କହିବେ କୁଣିଆ ମୋର
ଖାଲି ହାତେ ଯେବେ ଆସି ଯାଏ କିଏ
ମୁହଁ ମୋଡି ହ୍ୱନ୍ତି ଦୂର ।
ଉପକାର ଯଦି କରି ଚାଲୁଥିବ
କହିବେ ଆସ ଏଠାକୁ
ଉପକାର ସରି ଗଲା ପରେ ଆଉ
ଚାହାଁନ୍ତି ନି ସେ ମୁହଁକୁ ।
କାହା ଠାରୁ ଯଦି ପାଇବାର ଅଛି
ତା ସାଥେ ଗଢ ସମ୍ପର୍କ
ସ୍ୱାର୍ଥରେ ସେମାନେ ବାନ୍ଧି ହେଇଥାନ୍ତି
ସ୍ୱାର୍ଥରେ ପାଗଳ ଲୋକ ।
ବାପା ମାଆ ପ୍ରତି କର୍ତ୍ତବ୍ୟ ସନ୍ତାନ
ସ୍ୱାର୍ଥ ଦେଖି କରି ଥାନ୍ତି
ଯଦି କିଛି ପାଇବାର ଆଉ ନାହିଁ
ନା ସେ ମୁହଁକୁ ଚାହାଁନ୍ତି ।
ହୃଦୟରୁ ବନ୍ଧୁ ମାନ ସନମାନ
ଏବେ ପାଇଲାଣି ଲୋପ
ଟଙ୍କା ଯଦି ସେ ମାଗିଲେ ନ ଦେଲେ
ବହନ୍ତି ମନରେ କୋପ ।
ଏମିତି ବନ୍ଧୁ ମୋ ନାହିଁ ଦରକାର
ସମ୍ପର୍କ କାଟନ୍ତି କହି
ସାଙ୍ଗ ସାଥି କଥା ଏଇଠାରେ ଆଉ
କି କହିବି କୁହ ମୁହିଁ ।
କେଉଁ ସାଙ୍ଗ କଲେ ଫାଇଦା ଅଧିକ
ହିସାବ ଭଲ କରନ୍ତି
ଯିଏ ତାଙ୍କୁ ଧନ ସମ୍ପତ୍ତି ଦିଅନ୍ତି
ସେଠି ସମ୍ପର୍କ ଗଢନ୍ତି ।
ସାଇ ପଡିଶାଙ୍କ କଥା ନ କହିବା
ଏଇଠି ସବୁଠୁ ଭଲ
ହିସାବ କିତାବ ଟିକିନିଖି କରନ୍ତି
ସେମାନେ ଅମୁଳଚୂଳ ।
ସବୁବେଳେ ଦେଇ ଚାଲୁଥିବେ ଯଦି
କହୁଥିବେ ସିଏ ଭଲ
ଯେବେ ତୁମ ଟଙ୍କା ମାଗି ଦେଲ ଥରେ
ସେଇଠି ତୁମେ ଯେ ଗଲ ।
ନେଲା ବେଳକୁ ସେ ମାଆଲୋ ବୋପାଲ
କହି କଅଁଳରେ ନେବେ
ଦେବେନି କେବେ ସେ ମାଲିକ ସତେ କି
ଉପରେ ଚଢି କହିବେ ।
ତାଙ୍କ ସ୍ୱାର୍ଥ ପାଇଁ କରୁଥିବେ କାର୍ଯ୍ୟ
କାହାକୁ ସେ ଚାହାଁନ୍ତି ନି
ଅନ୍ୟାୟ ଅଧର୍ମେ ମାଡି ଚାଲି ଥାନ୍ତି
କାହାର ସେ ହୁଅନ୍ତି ନି ।
ଜୋର ଯାହାର ମୁଲକ ତାହାର
କରି ସବୁ ନେଇଯାନ୍ତି
ହେଲେ ଜଗତରେ ମାଲିକଟେ ଅଛି
ଏଇ କଥା ସେ ଭୁଲନ୍ତି ।
ହିସାବ କିତାବ ସବୁ ତା ହାତରେ
ସବୁ ତଉଲୁଛି ସିଏ
ନିଜ କଲା କର୍ମ ଅନୁସାରେ ଫଳ
ଭଲ ଭାବେ ସିଏ ଦିଏ ।
ଠକ ଭଣ୍ଡାମୀର ଧନ କେତେ ଦିନ
ସେମିତି ଜୀବନ ଯାଏ
ସବୁବେଳେ ଏଠି ସେଠି ହେଇ ବାର
ଦୁଆର ସେ ବୁଲୁ ଥାଏ ।
ଭାଇ ଠାରୁ ଭାଇ ଅଲଗା ହୁଅନ୍ତି
ଲୋଭ ବାପ ସମ୍ପତ୍ତିରେ
ଅନ୍ୟାୟ ଅଧର୍ମେ ସବୁ ଲୁଟି ଥାନ୍ତି
କଳି ଜବରଜସ୍ତିରେ ।
ଭାଇ ଧନ ସବୁ ଘାଇ ଖାଇ ଯିବ
ଏ କଥା ପାଶୋରି ଯାନ୍ତି
ନିଜେ ବଡ ଲୋକ ହେବେ ସେ କେମିତି
ସ୍ୱାର୍ଥରେ ସବୁ ହରନ୍ତି ।
ଛଳନା କପଟେ ଏମିତି ଚାଲନ୍ତି
ପାଣିରେ ପକାନ୍ତି ସର
ଭିତରେ ସର୍ବସ୍ଵ ଲୁଟି ନେଇଥାନ୍ତି
ଉପରେ ଭଲ ବେଭାର ।
ସ୍ୱାର୍ଥ ଯେତେବେଳେ ସରି ଯାଏ ତାଙ୍କ
ଆଡେଇ ସେ ଚାଲି ଯାନ୍ତି
ସତେକି ଯେମିତି ତୁମକୁ ଆଗରୁ
ସେ କେବେ ଦେଖି ନାହାଁନ୍ତି ।
କାହା ଯୋଗୁଁ ଯଦି ଗରିବରୁ ସିଏ
ଧନଶାଳୀ ହେଇଥାନ୍ତି
ଏତେ ସ୍ୱାର୍ଥୀ ଧରା ପଡି ଯିବା ଭୟେ
ତାଠୁ ସମ୍ପର୍କ କାଟନ୍ତି ।
ଏତେ ବେଇମାନୀ ବିଶ୍ୱାସ ଘାତକ
ଏଇତ ମଣିଷ ଜାତି
ଦେବା ଦେବୀ ସବୁ ତାଙ୍କୁ ଡରୁ ଥାନ୍ତି
ଶେଷେ କରିଥାନ୍ତି ଇତି ।
ଯେଉଁ ବୃକ୍ଷ ତାଙ୍କ ରଖଇ ଜୀବନ
ତାକୁ ବି ଛାଡନ୍ତି ନାହଁ
ମଣିଷ ମାନଙ୍କୁ ପାଦରେ ଦଳନ୍ତି
ମଣିଷ ହେଇ ବି ସେହି ।
ଭୁଲି ସେ ଯାଆନ୍ତି ଏକା ମାଘେକେ ଯେ
ଶୀତ କେବେ ଛାଡେ ନାହିଁ
ଏମିତି ସମୟ ପୁଣି ଆସିଯିବ
ବିପଦ ପଡିବ ତହିଁ ।
କେତେ କଅଁଳିଆ କଥା ସେ କହନ୍ତି
ସ୍ୱାର୍ଥର ହାସଲ ପାଇଁ
ଏମିତି ସୁନ୍ଦର ଅଭିନୟ ତାଙ୍କ
ଜାଣିବା ମୁସ୍କୁଲ୍ ଭାଇ ।
କହିଲା ବେଳକୁ କହିବେ ସମସ୍ତେ
ଆମ୍ଭେ ସ୍ୱାର୍ଥ ଲୋଭୀ ନୋହୁ
ଥରେ ତାଙ୍କ କାମ କର ନାହଁ ଆପେ
ଧରା ପଡି ଯିବେ ସେହୁ ।
ଅସଲ ଚେହେରା ଆସିବ ପଦାକୁ
କେତେ ବେଇମାନୀ ସିଏ
ବିଶ୍ୱାସ ଘାତକ କେତେ ସ୍ୱାର୍ଥବାଦୀ
ମୁଖା ଆପେ ଖୋଲି ଯାଏ ।
ନୁହଁନ୍ତି ଯେ ଏଠି କେହି ଯେ କାହାର
ସବୁ ସ୍ୱାର୍ଥରେ ଚାଲନ୍ତି
କହିକି ପାରିବ ଏମିତି କିଏ ସେ
ବିନା ସ୍ୱାର୍ଥେ ରହିଅଛି ।
ସ୍ୱାର୍ଥ ବିନା ଏଇ ଜଗତରେ ଅଛି
ଜଣେ ଦେଖାଉଛି ପଥ
ତାହାରି ପାଦରେ ରହିଛି ମୁକତି
ସିଏ ପ୍ରଭୁ ଜଗନ୍ନାଥ ।