ସ୍ୱାଧୀନ ଜୀବନ କାନ୍ଦେ
ସ୍ୱାଧୀନ ଜୀବନ କାନ୍ଦେ
ଖୋଲା ଆକାଶରେ ଉଡ଼ିଯିବା ପାଇଁ
ଭାବି ନ ଥିଲି ମନେ
ବିରାଟ ପୃଥିବୀ ପରି ମଣିଥିଲି
ତ୍ୟାଗରେ ଭୋଗର ସୁଖ ଜାଣିଥିଲି
ସେହି ପବିତ୍ର ବନ୍ଧନେ ।
ଯେଉଁ ବନ୍ଧନ କରି ଦେଇଥିଲା
ସତ୍ତାକୁ ମୋର ଲୀନ
ସେହି ବନ୍ଧନ ଦେଇଥିଲା ମୋତେ
ମୁକ୍ତିର ସନ୍ଧାନ ।
ଯେତେ ଖୋଜୁଅଛି ଆଉ ସେ ବନ୍ଧନ
ପାଉନାହିଁ ଜମା ତାହାରି ସନ୍ଧାନ
ସ୍ୱାଧୀନ ଜୀବନ ହୁଏ ଆତ୍ମହରା
ସେହି ପୁଲକିତ ଗନ୍ଧେ
ପରାଧୀନତାର ସ୍ମରଣେ ଆଜି ମୋ
ସ୍ୱାଧୀନ ଜୀବନ କାନ୍ଦେ ।
ମୁକ୍ତ ବିହଙ୍ଗ ମୁକ୍ତି ଖୋଜେ ନାହିଁ
ଝୁରି ମରୁଥାଏ ଶୃଙ୍ଖଳା ପାଇଁ
ସୁନ୍ଦର ଜୀବନ ମୁଖରିତ ଥିଲା
ପ୍ରତି ଶିକୁଳି ର ଛନ୍ଦେ
ପରାଧୀନତାର ସ୍ମରଣେ ଆଜି
ମୋ ସ୍ୱାଧୀନ ଜୀବନ କାନ୍ଦେ ।
