ରୂପାନ୍ତର
ରୂପାନ୍ତର
କୁଳୁ କୁଳୁ ଗୀତ ଗାଇ ଧୀରେ ଧୀରେ
ଝରେ ଯେପରି ଝରଣା
ପ୍ରଶ୍ଵାସ ମୋ ବହେ ସେହିପରି ଧୀରେ
ନାହିଁ ତିଳେ ଉତ୍ତେଜନା।
ଭରି ଦେଇଛି ସେ ମୋ ଦେହର ପ୍ରତି
ଅଙ୍ଗରେ ଈଶ୍ୱର ପ୍ରୀତି
ଅତୀନ୍ଦ୍ରିୟ ସୁଖେ ଆଜି ମୁଁ ବିଭୋର
ସେହି ଏକା ଯେ ସମ୍ପତ୍ତି।
ସାନ୍ନିଧ୍ୟ ଲଭିଛି ଭଗବାନଙ୍କର
ଧନ୍ୟ ହୋଇଛି ଜୀବନ
ପିଇଛି ସତେ କି ଶାଶ୍ବତ ମଦିରା
ପୁଲକିତ ମନ, ପ୍ରାଣ।
ସମୟକୁ ଦିନେ ଗୁରୁତ୍ବ ଦେଇ ମୁଁ
ଦେଖୁଥିଲି ସ୍ବପ୍ନ କେତେ
ବହୁ ଦୂରେ ଆଜି ସେ କାମନା ଯାଇ
ବେପରୁଆ କଲା ମୋତେ।
ପ୍ରତି ଜୀବକୋଷ ଆନନ୍ଦେ ଅଧୀର
ପାଇ ସେ ଦିବ୍ୟ ପରଶ
ହେଲେ ଜ୍ୟୋତିର୍ମୟ ଧାରାର ପଥିକ
ହୃଦୟେ ଆସେ ବିଶ୍ୱାସ।
ସ୍ନାୟୁ ଯେତେ ରୂପାନ୍ତରିତ ହୋଇଲେ
କଟିଗଲା ଅସୁବିଧା
ଜ୍ୟୋତି, ସାମର୍ଥ୍ୟର ହେଲେ ଅଧିକାରୀ
ଯୋଗପଥେ ନାହିଁ ବାଧା ।
ହୀରା,ମୋତି ଭଳି ଝଟକିଲେ ସେ ତ
ଲଭି ଭଗବତ କୃପା
ଆଲୋକ, ଆନନ୍ଦ ଅଧିକାରୀ ହେଲେ
ଏ କଥା ନାହିଁ ଅଛପା।
ରକ୍ତ, ହାଡ଼, ମାଂସ ଗଢା ଏ ଶରୀର
କ୍ରୀତଦାସ ନୁହେଁ ମୁହିଁ
ଚିନ୍ତା, ଚେତନାରେ ହେବି ନିରଳସ
ଈଶ୍ୱର ଆଶିଷ ପାଇ।
ହୋଇବି ସେବକ ବିଶ୍ଵ ପ୍ରକୃତିର
ଯନ୍ତ୍ରଟିଏ ତାଙ୍କପାଇଁ
ତାଙ୍କ ଦିବ୍ୟ କର୍ମେ ହେବି ସହଯୋଗୀ
ତୁଣ୍ଡେ ନାମ ଗାଇ ଗାଇ।
ଆତ୍ମାଟି ମୋହର ବିଶାଳ ସୂର୍ଯ୍ୟଙ୍କ
ତେଜରେ ଯେ ତେଜୀୟାନ୍
ହେବନାହିଁ ଶେଷ ଆଲୋକ ତାହାର
ହୋଇଛି ସେ ଗରୀୟାନ୍ ।