ରୁକୁଣା ରଥ
ରୁକୁଣା ରଥ


ଜୟ ପ୍ରଭୁ ଲିଙ୍ଗରାଜ ହେ ଜୟ ଚନ୍ଦ୍ର ଶେଖର
ଭକତ ବତ୍ସଳ ପ୍ରଭୁ ହେ ସଦାଶିବ ଶଙ୍କର ।
ଚକ୍ର କ୍ଷେତ୍ର କ୍ଷେତ୍ର ପ୍ରଭୁ ହେ ତୁମ ଏକାମ୍ର କ୍ଷେତ୍ର
ପିନାକୀ ପିନାକ ଧରିଣ କର ଲିଳା ବିସ୍ତାର।
ବାରମାସେ ତେର ଯାତରା ହୁଏ ଏକାମ୍ର କ୍ଷେତ୍ରେ
ପ୍ରଭୁଙ୍କର ରଥ ଯାତରା ଶ୍ରେଷ୍ଠ ତହିଁ ମଧ୍ୟରେ।
ଚୈଇତ୍ର ର ଶୁକ୍ଳ ପକ୍ଷରେ ତିଥି ଅଷ୍ଟମୀ ସେତ
ଅଶୋକା ଅଷ୍ଟମୀ ଭାବରେ ସେହି ଦିନଟି କ୍ଷାତ।
ସେଦିନ ହୁଅଇ ପ୍ରଭୁଙ୍କ ଏହି ରଥ ଯାତରା
ରୁକୁଣା ରଥରେ କରନ୍ତି ଦିବ୍ୟ ଲୀଳା ଏ ପରା ।
ହରିହର ମିଶି ଯାତରା ସେହି ରଥେ କରନ୍ତି
ଭକତ ଜନଙ୍କ ମନକୁ ପ୍ରଭୁ ମୋହି ନିଅନ୍ତି।
ନାହିଁ କାହିଁ ଶୈବ କ୍ଷେତ୍ର ଯେ ଆଉ ସେତ ଏମିତି
ଯହିଁ ହରିହର ରଥରେ ଦିବ୍ୟ ଯାତ୍ରା କରନ୍ତି।
ପୁରାଣ ସ୍ଵର୍ଣ୍ଣାଦ୍ରି ମହୋ୍'ଦୟ କହେ ବଖାଣି
ପ୍ରଭୁ ହେ ତୁମରି ରୁକୁଣା ରଥ ଯାତ୍ରା କାହାଣୀ।
ବନବାସେ ଥିଲେ ଯେବେତ ରାମ ରଘୁ ନନ୍ଦନ
ମାତା ସୀତାଙ୍କୁ ତ ଚୋରାଇ ନେଲା ଲଙ୍କା ରାବଣ
ମାତା ଙ୍କ ଉଦ୍ଧାର ପାଇଁ କି ରାମ ପୁରୁଷୋତ୍ତମ
ଲଙ୍କା ଗଡେ ଯାଇ କରିଲେ ତହିଁ ଘୋର ସଙ୍ଗ୍ରାମ ।
ରାମଙ୍କ ବାଣରେ ରାବଣ ସେତ ହୋଇଲା ହତ
ସୀତାଙ୍କୁ ଉଦ୍ଧାର କରିଲେ ପ୍ରଭୁ କୌଶଲ୍ୟା ସୂତ।
ଅଯୋଧ୍ୟା ରାଜ୍ୟକୁ ଶ୍ରୀରାମ କରି ପ୍ରତ୍ୟାବର୍ତ୍ତନ
ଆରୋହଣ କଲେ ଅଯୋଧ୍ୟା ରାଜ ସିଂହା'ସନ ।
ପ୍ରଭୁ ଙ୍କ ମନକୁ ନିଇତି ଏକ ଚିନ୍ତା ଘାରିଲା
ରାବଣ ଅଟଇ ବ୍ରାହ୍ମଣ ତାଙ୍କ ହାତେ ମରିଲା ।
ବ୍ରହ୍ମ ହତ୍ୟା ଦୋଷ ତାହାଙ୍କୁ ଲାଗିବତ ନିଶ୍ଚୟ
ପାପ ଭାର ବୋହି ବୋହି ଯେ ମନ ହେଲା ଅଥୟ
ବ୍ରହ୍ମ ହତ୍ୟା ପାପୁ ମୁକତି ରାମ ପାଇବା ପାଇଁ
ଗୁରୁ ବଶିଷ୍ଠ ଯେ ଉପାୟ ଦେଲେ ତାଙ୍କୁ ବତାଇ।
ଏକାମ୍ର କ୍ଷେତ୍ର ର ଅଧିଶ ଶିବ ଶ୍ରୀ ଲିଙ୍ଗରାଜ
ଅସୀମ ମହିମା ତାଙ୍କର ତାଙ୍କ ପ୍ରଚଣ୍ଡ ତେଜ ।
ତାଙ୍କ ପୂଜା ଉପାସନାଯେ ଯାଇ ନିଷ୍ଠା ରେ କର
ବ୍ରହ୍ମ ହତ୍ୟା ପାପୁ ବତ୍ସ ହେ ପାଇବ ତ ନିସ୍ତାର।
ଗୁରୁଙ୍କର ଉପଦେଶକୁ ଶ୍ରୀରାମ ଯେ ମାନିଲେ
ପରିବାର ସହ ଏକାମ୍ର କ୍ଷେତ୍ରକୁ ସେ ଚଳିଲେ ।
ଲିଙ୍ଗରାଜଙ୍କର ପାଦରେ ସେତ ଶରଣ ଗଲେ
ଦେବଦେବ ମହାଦେବଯେ ପ୍ରଭୁ ତୋଷ ହୋଇଲେ
ଲିଙ୍ଗରାଜ ଦେବ କହିଲେ ଆହେ ରଘୁନନ୍ଦନ
ତୋଷ ହୋଇ ଦୋଷାଦୋଷ ମୁଁ ସବୁ କଲି ଖଣ୍ଡନ।
ତୁମ୍ଭେ ଏକ ଶିବାଳୟ ଯେ ଏଠି ପ୍ରତିଷ୍ଠା କର
ପୀଠାଧୀଶ ଯହିଁ ହୋଇବେ ପ୍ରଭୁ ଶ୍ରୀ ରାମେଶ୍ବର।
ସେ ପୀଠକୁ ଯେଉଁ ଭକତ ମାନେ ଯେବେ ଆସିବେ
ତୁମ୍ଭ ଆଗମନ କଥା ଯେ ଦେଖି ମନେ ହେଜିବେ ।
ଲିଙ୍ଗରାଜଙ୍କର କଥାକୁ ରାମଚନ୍ଦ୍ର ମାନିଲେ
ରାମେଶ୍ବର ଶିବ ପୀଠ ଯେ ତହିଁ ସ୍ଥାପନ କଲେ।
ପ୍ରଭୁ ଲିଙ୍ଗରାଜ ଭୁବନେଶ୍ଵରୀ ଦେବୀଙ୍କ ସାଥେ
ଆସିଥିଲେ ସେହି ପୀଠକୁ ବସି ସୁନ୍ଦର ରଥେ ।
ସେଦିନ ଟି ଥିଲା ପବିତ୍ର ତିଥି ଅଶୋକାଷ୍ଟମୀ
ଶ୍ରୀରାମ କହିଲେ ଶିବଙ୍କୁ ଆହେ ଏକାମ୍ର ସ୍ବାମୀ,
ଅଶୋକା ଅଷ୍ଟମୀ ତିଥିରେ ପ୍ରତିବର୍ଷ ଏମିତି
ଏ ପୀଠ କୁ ଆସୁଥିବ ହେ ପ୍ରଭୁ ପାର୍ବତୀ ପତି ।
ରଥରେ ଭକ୍ତ ଙ୍କୁ ତୁମେତ ଯେବେ ଦର୍ଶନ ଦେବ
ତୁମ ସହ ଆମ ଭାବଯେ ତହିଁ ମନେ ପଡିବ।
ଶ୍ରୀରାମ ଙ୍କ କଥା ରଖିଣ ଲିଙ୍ଗରାଜ ଭୂତେଶ
କରନ୍ତି ଏ ରଥଯାତରା ପ୍ରଭୁ ପ୍ରତି ବରଷ ।
ଅଶୋକା ଅଷ୍ଟମୀ ଦିନଟି ପ୍ରଭୁ ରଥେ ବସିଣ
ରାମେଶ୍ଵର ପୀଠେ ବିରାଜ କରିଥାନ୍ତି ଯେ ଜାଣ।
ଆଉ ଏକ ଲୋକ କଥା ଯେ କିମ୍ବଦନ୍ତୀ କାହାଣୀ
ସୁନ୍ଦର ଭାବରେ ପୁରାଣ ପୋଥି ଛନ୍ତି ବଖାଣି।
ପ୍ରଭୁ ରାମଚନ୍ଦ୍ର ଥରେକ ଭାଇ ମାନଙ୍କ ସାଥେ
ଆସିଥିଲେ ବୁଲି ଖୁସିରେ ଏହି ଏକାମ୍ର କ୍ଷେତ୍ରେ ।
ଏକାମ୍ର କ୍ଷେତ୍ରରେ ପ୍ରଭୁ ଯେ ରାମ ରଘୁନନ୍ଦନ
ଚାରିଗୋଟି ଶିବ ଆଳୟ କରିଥିଲେ ସ୍ଥାପନ।
ଶ୍ରୀରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଙ୍କ ନାମେ
କ୍ଷାତ ସେହି ଚାରି ମନ୍ଦିର ଆଜି ଏକାମ୍ର ଧାମେ ।
ରାମେଶ୍ବର ଲକ୍ଷ୍ମଣେଶ୍ବର ପୁଣି ଭରତେଶ୍ବର
ଶ୍ରୀ ଶତୃଘ୍ନେଶ୍ବର ନାମରେ ସେହି ଚାରି ମନ୍ଦିର।
ଅଶୋକା ଅଷ୍ଟମୀ ଦିନ ଯେ ସେହି ମନ୍ଦିର ମାନ
ଲିଙ୍ଗରାଜ କରିଥିଲେ ତ ଆସି ପ୍ରତିଷ୍ଠା ଜାଣ ।
ପବିତ୍ର ରଥରେ ବସିଣ ପ୍ରଭୁ ଆସିତ ଥିଲେ
ଦରଶନ କରି ଶ୍ରୀରାମ ପ୍ରଭୁ ଖୁସି ହୋଇଲେ ।
ତ୍ରେତୟା ଯୁଗରୁ ରୁ ଆସିଣ ଏବେ କଳ
ି ହେଲାଟି
ସେହିଦିନୁ ଏହି ପବିତ୍ର ରଥ ଯାତ୍ରା ହୁଏ ଟି ।
ଲିଙ୍ଗରାଜ ମନ୍ଦିର ରୁ ଯେ ଟଣା ହୁଅନ୍ତି ରଥ
ରାମେଶ୍ବର ମନ୍ଦିର ରେ ତ ରହିଥାଆନ୍ତି ସେତ।
ଇତିହାସ ପୁଣି ବଖାଣେ ଏହି ରଥ ର କଥା
ପରିବର୍ତ୍ତନ ର କଥା ଏ ଆମ ଗରବ ଗାଥା।
ଧଉଳୀ ଯୁଦ୍ଧରେ ଅଶୋକ କଲେ କଳିଙ୍ଗ ଜୟ
ଜିଣି ପାରିଲେନି ସିଏତ କଳିଙ୍ଗ ର ହୃଦୟ ।
ତରବାରୀ ଜୟ ନୁହଁଇ କେବେ କାର ବିଜୟ
ବୁଢୀଟିଏ କଥା ପଦରେ ତରଳିଲା ହୃଦୟ।
ତରବାରୀ ତ୍ୟାଗ କରିଣ ତହିଁ ସେ ଚଣ୍ଡାଶୋକ
ବୌଦ୍ଧ ଧର୍ମ ନେଇ ହୋଇଲେ ସେତ ଧ'ର୍ମାଶୋକ।
ହାରି ଯାଇ ମଧ୍ୟ କଳିଙ୍ଗ ର ଯେ ବିଜୟ ହେଲା
ସେଥିପାଇଁ ଏହି ବିଜୟ ରଥ ରାଜ୍ୟେ ଗଡିଲା ।
ଇତିହାସ ହେଉ ସତ କି କିମ୍ବଦନ୍ତୀ ଯେ ସତ
ସତ କିନ୍ତୁ ଗଡୁଅଛି ଯେ ଆଜି ରୁକୁଣା ରଥ ।
ଲିଙ୍ଗରାଜ ଙ୍କର ସାଥିରେ ପ୍ରଭୁ ଗୋବିନ୍ଦ ପୁଣି
ବିଜେ କରିଥାନ୍ତି ରଥରେ ମାତା ଦେବୀ ରୁକ୍ମିଣୀ ।
ରୁକ୍ମଣୀ ଙ୍କ ପାଇଁ ରଥର ନାମ ହେଲା ରୁକୁଣା
ଘୋର ନିଦାଘ ରେ ହୁଅଇ ଏହି ରଥ ଯେ ଟଣା ।
ଖୋଳ କରତାଳ କାହାଳୀ ଘଣ୍ଟ ଘଣ୍ଟା ବାଜଇ
ଘୋର ଗରଜନ କରିଣ ଦାଣ୍ଡେ ରଥ ଗଡ଼ଇ ।
ଶୁଣ ଏବେ ଏହି ରୁକୁଣା ରଥ ଗଢା ବିଧାନ
ଶ୍ରୀପଞ୍ଚମୀ ଦିନ ହୁଅଇ ଦେବ ଶିଳ୍ପୀ ବରଣ ।
ଜାଗର ପୂର୍ବରୁ କ୍ଷେତ୍ର କୁ ରଥ କାଠ ଆସଇ
ଶିବରାତ୍ରି ଗଲେ ସରି ତ ରଥ ଗଢା ହୁଅଇ।
ଆମ୍ବ କାଠରେ ଯେ ହୁଅଇ ଏହି ରଥ ନିର୍ମାଣ
ପଇଁତ୍ରିଶ ଫୁଟ ଉଚ୍ଚତା ଏହି ରଥ ର ଜାଣ।
ରଥ ରେ ହୁଅଇ ଖଞ୍ଜା ଯେ ଚାରିଗୋଟି ଚକଟି
ଛଅ ଫୁଟ ସେତ ଅଟଇ ପ୍ରତି ଚକ ବ୍ୟାସ ଟି।
ଚାରିଗୋଟି ଅଂଶ୍ବ ରଥରେ ଯୋଚା ହୁଅନ୍ତି ତହିଁ
ଚାରି ବେଦ ମାନଙ୍କର ଯେ ସ୍ବରୂପଟି ତ ସେହି।
ଲୋହିତ ସବୁଜ ନୀ'ଳ ପୀତ ରଙ୍ଗର ବସ୍ତ୍ର
ରଥ ଚାରିପଟେ ହୁଅଇ ଯତନରେ ଆବୃତ।
ପୀତାମହ ବ୍ରହ୍ମା ଅଟନ୍ତି ସେହି ରଥ ସାରଥୀ
ଅର୍ଦ୍ଧ ଚନ୍ଦ୍ର ରଥ ନେତରେ ସେତ ଶୋଭା ପାଆନ୍ତି ।
ସ୍ବର୍ଣ୍ଣାଭ କଳସ ରଥ ର ମଥାରେତ ଶୋଭିତ
ତ୍ରିଶୂଳ ରେ ଯହିଁ ଖ'ଞ୍ଜା ହୋଇଥାଏ ଟି ନେତ ।
ଅଗ୍ନି ଇନ୍ଦ୍ର ଦୁର୍ଗା କାର୍ତ୍ତିକ ଶିବ ସୂର୍ଯ୍ୟ ବରୁଣ
ଯମ ମିଶି ଆଠ ମୂରତୀ ପାର୍ଶ୍ୱ ଦେବତା ଜାଣ।
ପବିତ୍ର ଅଶୋକା ଅଷ୍ଟମୀ ଦିନ ଶୁଭ ପ୍ରଭାତ
ଉତ୍ସବ ମୁଖର ହୁଅଇ ସାରା ଏକାମ୍ର କ୍ଷେତ୍ର ।
ପ୍ରତ୍ୟୁଷରୁ ପ୍ରଭୁଙ୍କର ଯେ ତହିଁ ଖୋଲେ ପହଡ଼
ପ୍ରଭାତୁ ମନ୍ଦିରେ ଲାଗଇ ଭକତ ଙ୍କର ଭିଡ଼ ।
ମଙ୍ଗଳ ଆଳତି ହୁଅଇ ହୁଏ ମହା ସ୍ନାହାନ
ତାପରେ ସାହାଣମେଲା ଯେ ହୋଇଥାଏ ସେଦିନ
ସକାଳ ର ନୀତି କ୍ରାନ୍ତି ଯେ ଯେବେ ହୁଅଇ ଶେଷ
ରଥ ପୂଜା ହୋଇ ଲାଗଇ ରଥ ରେ ତ କଳସ ।
ରଥ ପ୍ରତିଷ୍ଠା ତ ସରିଲେ ଦିଅଁ ମାନେ ଆସନ୍ତି
ରୁକ୍ମଣୀ ଯେ ସିଂହାସନର ମଝିରେ ତ ବସନ୍ତି ।
ବାମେ ବାସୁଦେବ ବସନ୍ତି ସେତ ଶ୍ରୀ ନାରାୟଣ
ଦକ୍ଷିଣେରେ ଚନ୍ଦ୍ରଶେଖର ତହିଁ ବସନ୍ତି ଜାଣ।
ଦିଅଁ ମାନେ ରଥ ଉପରେ ବିଜେ ହୋଇବା ପରେ
ଭକତେ ଟାଣନ୍ତି ରଥଙ୍କୁ ଭାବ ଭକତି ଭରେ ।
ରଥ ଯେ ଗଡିତ ଯାଆନ୍ତି ତାଙ୍କ ମାଉସୀ ଘର
ଯେଉଁଠାରେ ପୂଜା ପାଆନ୍ତି ପ୍ରଭୁ ଶ୍ରୀ ରାମେଶ୍ବର।
ଦିଅଁମାନେ ଚାରିଦିନ ଯେ ସେହିଠାରେ ରୁହନ୍ତି
ପଞ୍ଚମ ଦିନ ତ ସେମାନେ ପୁଣି ଲେଉଟି ଥାନ୍ତି।
ରୁକୁଣା ରଥ ଯେ ଅଟନ୍ତି ରଥ ଅଣ ଲେଉଟା
ରଥ ପଛ ପଟେ ବାଟ ଯେ ତେଣୁ ହୁଅଇ ଫିଟା ।
ସେହି ବାଟେ ଦେବାଦେବୀଯେ ରଥେ ବିଜେ ହୁଅନ୍ତି
ପଟୁଆର କରି ମନ୍ଦିରେ ଦିଅଁ ଫେରି ଯାଆନ୍ତି।
ହୁଅଇ ଭଜନ କୀର୍ତ୍ତନ ରଥ ଦାଣ୍ଡରେ ସେତ
ଆନନ୍ଦରେ ଭକ୍ତ ମାନେ ତ ଟାଣି ଥାଆନ୍ତି ରଥ।
କପିଳ ସଂହିତା ପୁରାଣେ ହୋଇଅଛି ବର୍ଣ୍ଣନ
ରୁକୁଣା ରଥରେ ଭକ୍ତିରେ ଲିଙ୍ଗରାଜ ଦର୍ଶନ,
ଚର୍ମ ଚକ୍ଷୁ ରେ ତ ଯେ ଜନ କରିଥାଆନ୍ତି ଜାଣ
ବ୍ରହ୍ମ ହତ୍ୟା ପରି ପାପଯେ ତାଙ୍କ ହୁଏ ଖଣ୍ଡନ।
ଦୁଃଖ ଅବସାଦ ମନରୁ ସବୁ ଦୂର ହୁଅଇ
ଧନ୍ୟ ହୋଇଥାଏ ଜୀବନ କୋଟି ପୂଣ୍ୟ ମିଳଇ।
ସଦାଶିବଙ୍କର ପାଦରେ ମନ ଢାଳି ଦେଲେ ତ
ଅଶୋକା ଅଷ୍ଟମୀ ରଥ ଯେ କରେ ଶୋକ ରହିତ ।
ଜୟ ପ୍ରଭୁ ଲିଙ୍ଗରାଜ ହେ ଜୟ ହେ ଶିବଶମ୍ଭୂ
ଦୟାକଲେ ଦୟାମୟ ହେ ତରି ଯିବୁ ଏ ଭବୁ ।
କୃପା ନେତ୍ରେ ଅଧମକୁ ଯେ ପ୍ରଭୁ ଥିବଟି ଚାହିଁ
କୋଟି ପ୍ରଣିପାତ ପାଦରେ ଆହେ ଜଗତ ସାଇଁ।