ରୁଧିରେ ଭିଜିଲା କରମଣ୍ଡଳ
ରୁଧିରେ ଭିଜିଲା କରମଣ୍ଡଳ


କେତେ ଯେ ସପନ କେତେ ଆଶାଫୁଲ
ନେଇ ବାହାରିଲା କରମଣ୍ଡଳ
ତା ବୁକୁରେ ସିଏ ଅନୁଭବି
ଥିଲା ଭିନ୍ନ ବୟସର ଭିନ୍ନ ମହଲ I
କୋଳାହଳେ ତାର ବୁକୁ ଫାଟୁ ଥିଲା
କର୍ତ୍ତବ୍ଯ ପଥରେ ଧାଉଁ ସେ ଥିଲା
ସପନ ମଝିରେ ଶମନ ଆସିଲା
ଏହା ତ ସେ କେବେ ଭାବି ନଥିଲ। ।
ସଂଧ୍ୟା ଆଳତୀ କୁ ସ୍ତବ୍ଧ କରିଦେଲା
କର ମଣ୍ଡଳର କ୍ରୁର ଶବଦ
ଜୁନ୍ ମାସର ଦୁଇ ତାରିଖଟି
ରହିଗଲା ହୋଇ ଯେ ଲିପିବଦ୍ଧ ।
ସପନ ସରିଲା ଶମନ ଧରିଲା
ବହି ଗଲା ପରା ରକତ ନଦୀ
କର ମଣ୍ଡଳର କର୍ତ୍ତବ୍ଯ ସରିଲା
ହୋଇଗଲା ସିଏ ଚିନ୍ତାରେ ବନ୍ଦୀ ।
କରମଣ୍ଡଳର ଯାତ୍ରାର ଆନନ୍ଦ
କ୍ଷଣିକ ମଧ୍ୟରେ ଉଭେଇ ଗଲା
ହତବାକ୍ ହୋଇ ପଡ଼ି ରହିଥିଲା
ମଣିଷ ରକ୍ତରେ ଦେହ ଭିଜିଲା ।
କର ମଣ୍ଡଳ ଯେ ନିଷ୍ପ୍ରାଣ ନିଷ୍ପନ୍ଦ
ଆର୍ତ୍ତ ଚିତ୍କାରରେ ସେ କଲବଲ
ଗଦା ଗଦା ଶବ ମିଳେନାହିଁ ଠାବ
ନିଜ ଲୋକ ଖୋଜି ଲୋକେ ବିକଳ ।
କା ମଥା ସିନ୍ଦୁର ଲିଭିଯାଇ ଅଛି
ବାପା ହରାଇଛି ତା ଆଶା ବାଡି
ସନ୍ତାନ ହୋଇଛି ପିତୃମାତୃ ଶୂନ୍ୟ
ରୁଧିରେ ଭିଜିଛି ଯେ ରେଳଗାଡ଼ି ।
ସପନ ଭାସୁଛି ଆଖିର ଲୁହରେ
ବାହାନଗା ମାଟି ରୁଧିରେ ମଖା
ସଖା ରେଳ ଆଜି ତ୍ରସ୍ତ ହୋଇଅଛି
ରୁଧିରେ ଭିଜିଛି ସଖାର ଡବା ।
p>କରମଣ୍ଡଳ ତ ଦେଖୁଛି ଆଖିରେ
ଦେହ ସାରା ତାର ରୁଧିର ବୋଳା
କିଏ ଚାପି ହୋଇ ଚିତ୍କାର କରୁଛି
କର ନାହିଁ କିବା କରିବ ଭଲା ।
କୁଢ କୁଢ ଶବ ସପନ ଶ୍ମଶାନ
ପିଲା ଖୋଜୁ ଅଛି ମା' ପଣତ
ରୁଧିର ନଦୀରେ ପହଁରୁଛି ପିତା
ମିଳୁନି ଖବର ମନ ବ୍ୟଥିତ ।
ଆତ୍ମୀୟ ସ୍ଵଜନ ଖବର ପାଇଁ କି
ରୁଧିର ନଦୀରେ ଆଶାର ବାଡ଼ି
ଶବ ଗଦା ପରେ ହତାଶେ କେ ଚାହେଁ
ନ ପାଇ ହେଉଛି ମୁଣ୍ଡ କଚାଡ଼ି ।
ଜୀବନ ଟା ପରା ପାଣି ଫୋଟକା ଯେ
ସନ୍ଧ୍ୟା କାଳେ କାଳ କହି ଯେ ଗଲା
ରୁଧିରେ ଭିଜିଲା କରମଣ୍ଡଳ ଯେ
କାଳ ଆଗେ କଳ ତୁଚ୍ଛ କହିଲା ।
ରୁଧିରେ ଭିଜିଛି କରମଣ୍ଡଳ ଯେ
ସତେ ପରାହତ ସୈନିକ ଟିଏ
କାହାକୁ କହିବ ମରମର ବ୍ୟଥା
କାଳ ଆଗେ କେହି ବଡ଼ ତ ନୁହେଁ ।
ପ୍ରଭୁ ଜଗନ୍ନାଥ ଦିଏ ଶ୍ରଦ୍ଧାଞ୍ଜଳୀ
ଅମର ଆତ୍ମାର ସଦ୍ଗତି ହେଉ
ଯତଶିଘ୍ର ଆରୋଗ୍ୟ ଲଭନ୍ତୁ ଆରୋଗ୍ୟ
ସଭିଙ୍କ ମନରେ ଦମ୍ଭ ସଂଚରୁ ।
ନୈରାଶ୍ୟ ମନରେ ଜୀଇଁବାର ରାହା
ପ୍ରଭୁ ତୁମେ ବାରେ ଦେଖାଇ ଦିଅ
ମନେ ଭରି ଦିଅ ମନୋବଳ ପ୍ରଭୁ
ଜୀବନ ସାର୍ଥକ ଗାଥା ଶୁଣାଅ ।
ଜୀବନ ସାଥିରେ ମୃତ୍ୟୁ ତ ଜଡିତ
ଚିରନ୍ତନ ସତ୍ୟ ଅଟେ ମହୀରେ
ପ୍ରଭୁ ହେ ମୃତ୍ୟୁକୁ କରନି ଏଭଳି
ଆର୍ତ୍ତ ବିଭୀଷିକା ନଦୀ ପହଁରେ ।