ରକ୍ତର ଅବିର
ରକ୍ତର ଅବିର
ବରଷକ ପରେ ପୁଣି ଶ୍ରୀରାଧା ଗୋବିନ୍ଦ
ବସନ୍ତ ଦୋଳିରେ ବସି ଝୁଲ ମନ୍ଦ ମନ୍ଦ ।
କେତେ ଫଗୁ କେତେ ରଙ୍ଗ କେତେ ପିଚିକାରୀ
ମାରି ଆଜି ଘରେ ଘରେ ଖେଳାଉଛ ହୋରି l
ଝୁଲାଇବା ପାଇଁ ହାତ ବଢାଏ ମୁଁ ଥରେ
ଲାଗେ ତୁମେ ବସିଅଛ ମହାଆନନ୍ଦରେ ।
ତିଳେ ଭଲ ମନ୍ଦ ନାହିଁ ତୁମର ବିଚାର
ନ ଝୁଲି ଦୋଳି ତୁମର ହୃଦ ଝୁଲେ ମୋର ।
ମୋ ମନ ଦୋଳିରେ ଝୁଲେ ଗୋଟିଏ ଦେବତା
&nb
sp;କାଲିପରି ମନେପଡେ ଗୋଟି ଗୋଟି କଥା ।
କାହିଁ ପିଚିକାରୀ ହାତେ କାହିଁ ରଙ୍ଗ ମୋର
କେବଳ ଯା ନିଗିଡଇ ରକତର ଝର ।
ଆଞ୍ଜୁଳା ଆଞ୍ଜୁଳା ହାତେ ଧରି ସେ ଅବିର
ତୁମ ଦେହେ ପ୍ରଭୁ ବୋଳିଦିଏ ବାରମ୍ବାର ।
ଧରି ହାତେ ଅତୀତର ସେହି ପିଚିକାରୀ
ନିରନ୍ତରେ ତୁମ ପରେ ଦେଉଛି ମୁଁ ମାରି ।
ସେ ରକ୍ତେ ରଞ୍ଜିତ କରେ ତୁମ କଳେବର
କୁହ ପ୍ରଭୁ ଖେଳିବାକୁ କେ ଅଛି ମୋହର ।