ରକ୍ତ ପିପାସୁ ମଣିଷ ହୋଇଛୁ
ରକ୍ତ ପିପାସୁ ମଣିଷ ହୋଇଛୁ
ହେ ଇଶ୍ୱର, ତୁମେ ଅଦୃଶ୍ୟ, ଏକ, କୋଟି
କୋଟି ନାମେ ମୁଁ ଡାକଇ
କୋରାନ, ବାଇବେଲ, ଗୀତା ଓ ଭାଗବତ
ବାଣୀ ତତ୍ତ୍ୱ ଗାଇ ଗାଇ |୧|
ଡାକିଛି ହେ ପତିତପାବନ, ଭାବିଛି ତୁମକୁ
ଜଗତର ନାଥ ମୁକ୍ତି ଦାତା
ସଂସାରେ ମାନବର ପ୍ରାଣେ ଜାଗି ଉଠୁ ନିତ୍ୟ
ମନୁଷତ୍ୱ, ହେ ମୋ ଦେବତା |୨|
ଅଜ୍ଞାନେ ଜ୍ଞାନ ଦେଇ, ଦୂର କରାଅ କ୍ରୋଧ,
ହିଂସା ଓ ଲୋଭ ମାନବ ଅନ୍ତରରୁ
ତୁମେ ପରା କୃପାସିନ୍ଧୁ, ପ୍ରେମ ବନ୍ଧୁ ଭାବ ଦିଅ
ବୁହାଇ ନାଶି ଭେଦଭାବ ଏ ସୃଷ୍ଟିରୁ |୩|
ହେ ଲୀଳାମୟ ହରି, ତୁମେ ପାଉଛ କି ସୁଖ
କିଛିଙ୍କୁ ହସାଇ କିଛିଙ୍କୁ କନ୍ଦାଇ
କିଆଁ ବିଶ୍ୱାସରେ ବିଷ ଦିଅ ଭରି, ତୋ ଭକତର
ଦୁଃଖ, ନଶୁଣି ଯିଏ ନିତ୍ୟ ପୂଜଇ |୪|
ନିର୍ଦ୍ଧନ କରିଲ, ଯାତନା ଭରିଲ, ଗରିବର
ନ୍ୟାୟୋଚିତ ଅଧିକାର ଛଡ଼ାଇ
କେତେଦିନ, ନିଶି ଦିବା, କାନ୍ଦିକାନ୍ଦି ଖୋଜିବ
ନିରାପତ୍ତା ତୁମ ନାମ ନେଇ ନେଇ |୫|
ଭେଦଭାବ ସଂକ୍ରମଣେ ବିଶ୍ବରେ ମୃତ୍ୟୁ ବ୍ଯାପିଛି,
ଦେଖ ମଣିଷତ୍ୱ ହୋଇଲାଣି ତ ହ୍ରାସ
ସଂକଟ ସମୟେ, ମନ ମଧ୍ୟେ ହତାଶ ଓ ନିରାଶ,
ସଂସାରକୁ କରି ନାଶ, କି ପାଇବ ଯଶ |୬|
ନୀଳକନ୍ଦରରେ ନୀଳଗିରିନାଥ ବସିଛ ନଚାହିଁ
ତୁମ ନୟନେ ନୟନ ଫେରି
ଆନନ୍ଦରେ ହୁଅ ମଗନ, କାହିଁକି ହେ ମଧୁସୁଦନ
ତୁମେ ପରା ଆନନ୍ଦମୟ ହରି |୭|
ଭକତବତ୍ସଳ ଭାବଗ୍ରାହୀ କୁହ, ତୁମେ ଭକତ ଭାବ
କୁ ଯଦି ନପାରିଲ ଜାଣି
କିପରି କହିବି ତୁମକୁ କରୁଣାସାଗର ଆହେ କୃପାରେ
ମଣିଷକୁ ପାରି କର ଚିନ୍ତାମଣି |୮|
ଆଜି ଯାହା ମାନଙ୍କ ଅବଦାନ ପାଇଁ ଆମେ ଦେଶର
ଭକ୍ତ ବୋଲି ଡିଣ୍ଡିମ ମାରୁଛୁ
ରକ୍ତ ପିପାସୁ ମଣିଷ ହୋଇ, ଖାଲି ଗୋଷ୍ଠୀ କନ୍ଦଳରେ
ମଣିଷ ରକ୍ତ ହିଁ ଚାହୁଁଛୁ |୯|
ହେ ଗୋବିନ୍ଦ, ଲଭିଲୁ ସ୍ଵାଧୀନତା ମନ ନୁହେଁ ମୁକ୍ତ ହାର
ଜିତ ଦ୍ଵନ୍ଦ ଆମର ହୁଅଇ ଶ୍ରେୟ
ଦେଖ ଥରେ ଅଛି କି ଏକତା, ଅଛି କି ଅହିଂସାର ଭାବ
ସଂକୀର୍ଣ୍ଣତା ଆମର ହୁଅଇ ଧେୟ |୧୦|
