STORYMIRROR

Pranati Panda

Tragedy

4  

Pranati Panda

Tragedy

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

2 mins
266

ଅଭିଶପ୍ତ ଭରା ପରିବାର ମଧ୍ୟେ

ଶଶୁର ଘରଟି ମୋର,

ଚାରି ଭାଇ ଆଉ ତିନୋଟି ଭଉଣୀ

ବୋହୂ ଚାରି ସେ ଘରର।


କାଳ କ୍ରୁର ଅଭିଶାପ ସେତେ କିବା

ପଡ଼ିଛି ସେ ସୁନା ଘରେ,

ଚୁନା କରିଦେଇ ଚାରୋଟି ଜୀବନ

ଟାଣି ନେଲା ଯମ ପୁରେ ।


ଶଶୁର ମୋହର ବହୁତ ଦିନରୁ

ଛାଡ଼ି ଚାଲି ଯାଇଥିଲେ,

ଏ ଆଖି ଦେଖିନି କଳା କିବା ଗୋରା

କେମିତିକା ସିଏ ଥିଲେ ।


ବଡ଼, ସାନ ଦୁଇ ନଣନ୍ଦେଇ ମୋର

ରୋଗେ ପଡ଼ି ଚାଲିଗଲେ,

ସାନ ଦିଅର ମୋ ଧନୁର୍ଦ୍ଧର ଯୋଦ୍ଧା

ଅକାଳରେ ଝଡ଼ି ଗଲେ ।


ବିଧବା ମୋ ଶାଶୁ ,ନଣନ୍ଦ ସମେତ

ସାନ ଯାଆକୁ ଦେଖିଲେ,

ଛାତି ଫାଟିଯାଏ କୋହ ମୋହ ହୋଇ

ସେ ,ରୂପକୁ ଅନେଇଲେ।


ବ୍ରାହ୍ମଣ କୂଳରେ ସୀମନ୍ତିନୀ ଯଦି

ସ୍ୱାମୀକୁ ହରେଇ ଦିଏ,

ଶ୍ରୀହୀନା ରୂପରେ ସେ ନାରୀକୁ ସର୍ବେ 

ଅଶୁଭ ବୋଲି ଦର୍ଶାଏ ।


ଏମିତି ଘରର ବଡ଼ ବୋହୂ ହୋଇ

ସମସ୍ତଙ୍କ ମନ ଛୁଇଁ,

ଚାଲୁଛି ଚାଲିବି ମୋ ପିତା ସଂସ୍କାରେ

ଯେତେଦିନ ଥିବି ମୁହିଁ।


ରାକ୍ଷୀ ଆସିଗଲେ ଲୁହ ଆଣିଦିଏ

ଶୂନ୍ୟ ହାତ ଟିକୁ ଦେଖି,

ଭଉଣୀ ର ଶୂନ୍ୟ ଭାଇର ବି ଶୂନ୍ୟ

ଯାଆ ଲାଗି ଭରେ ଆଖି।


ନାହିଁ ତ ସେ ଘରେ ରାକ୍ଷୀର ଆନନ୍ଦ

ବୈଧବ୍ୟ ଙ୍କୁ ମନା ଶକ୍ତ ,

ପବିତ୍ର ବନ୍ଧନେ ବାନ୍ଧି ହେବା ପାଇଁ 

ଖୋଜିଥାଏ ଶୂନ୍ୟ ହସ୍ତ ।


ତଥାପି ସେ ଘର ଶାଶୁ ମାଆଙ୍କର

ଛତ୍ର ଛାୟାରେ ପାଳିତ,

ଏକ ଆରକରେ ଅସୁବିଧା ବେଳେ

ସର୍ବେ ହୋ'ନ୍ତି ଏକତ୍ରିତ।


ପିତା ମାତାଙ୍କର ଆଦର୍ଶ ବୋଧକୁ 

ସଦା,ସର୍ବଦା ପାଳିବି,

ଏ ଜୀବନ ମୋର ପରିବାର ପାଇଁ 

ସ୍ନେହ ବନ୍ଧନେ ଯୋଡ଼ିବି ।


ଉଣେଇଶି ବର୍ଷେ ବାହା ହୋଇଥିଲି

ତିରିଶ ବର୍ଷ ପୁରିଲା,

ବଡ଼ ବୋହୂ ରୂପେ ମୋର ଶାଶୁଘରେ

ସୁଖେ ଦୁଃଖେ ମୋ' କଟିଲା।


ତାଙ୍କ ହସ ଲୁହେ କଟେ ଏ, ଜୀବନ 

ସୁଖ ଦୁଃଖର ମୋ ସଂସାର ,

ପୁରା ପରିବାର ସ୍ନେହ ପ୍ରେମେ ବନ୍ଧା

ଲୋଡ଼ା କି ରାକ୍ଷୀ କାହାର ।


ହୃଦୟରେ ସ୍ନେହ ପ୍ରେମ ବନ୍ଧାଥିଲେ

ସେଇତ ରକ୍ଷା ବନ୍ଧନ ,

ଅଭାବରେ ଭାବ ଭରି ରହିଥିଲେ

ସେଇତ ମଥା ଚନ୍ଦନ।


ଆଜିକାଲି ଯୁଗେ ସ୍ନେହର ଅଭାବ

ନାହିଁ ଆଉ ଭାବ ପ୍ରୀତି,

ଭାଇ ଭଉଣୀଙ୍କ ସ୍ନେହ ବନ୍ଧନକୁ

ଭାଙ୍ଗେ କିଛି ନାରୀ ଜାତି।


ସବୁ ନାରୀଙ୍କୁ ମୁଁ ମିନତି କରୁଛି

କାହା ଆଶା ଭାଙ୍ଗିବନି,

ଭଙ୍ଗା ହୃଦୟର ଦୀର୍ଘ ଶ୍ଵାସ କେତେ 

କେବେ ମାପି ପାରିବନି ।


ଏଇଠି ସମୟ ଚରଖା ଗଡୁଛି

ଭଲ ମନ୍ଦ ପରଖିବ ,

ଉଚିତ୍ ସମୟେ ସୁଧ ସମେତରେ

ନିଶ୍ଚୟ ଦିନେ ଫେରିବ ।


ଗହ୍ମା ପୂର୍ଣ୍ଣମୀରେ ଗୋ ମାତା ପୂଜନେ 

ଆନନ୍ଦରେ ସେବା କରି ,

ମାନବ ସମେତ ମାଧବ ସେବାରେ

ଏ ଜୀବନ ଯାଉ ସରି ।


 ଏତିକି ମୋର ଗୁହାରୀ

  ଆହେ ପ୍ରଭୁ ଗିରିଧାରୀ  ।


Rate this content
Log in

Similar oriya poem from Tragedy