ଲୁହ
ଲୁହ
ସବୁ ଆଖିକୋଣେ ଝଲମଲ ହେଉ
ଝରି ସିକ୍ତ କରୁ ଗଣ୍ଡ ଲପନ
ସୁଖଲଗ୍ନା ମନ ଚାନ୍ଦିନୀ ଗଗନେ
ଲୁହ ତାରାଫୁଲ ଢାଳେ କିରଣ ।
ଦୁଃଖ ଦରିଆର କୋହ ଭଉଁରୀରେ
ଉତ୍ତାଳ ଆବେଗେ ଗମୁରି କାନ୍ଦୁ
ମିଳନ ବିଛେଦ ଭାବ ଆବେଗରେ
ଲୋତକ ବନ୍ଯାରେ ସଭିଏଁ ଭିଜୁ ।
ସବୁରି ହୃଦୟ ଦ୍ରବିଭୂତ ହୁଏ
ବୁକୁଫଟା ସମବେଦନା ଚିତ୍ରେ
କୁମ୍ଭୀର କ୍ରନ୍ଦନ ମାୟାବିନୀ ମନ୍ତ୍ର
ଛଳନା ରେ ମନ ନିଏ ପରତେ ।
ପୂତ ପୟୋସ୍ୱନୀ ସ୍ୱଚ୍ଛ ଧାରଟିଏ
ଭକତ ନୟନେ ଭାବ ବିହ୍ଵଳେ
ଅନୁତପ୍ତ ଲୁହେ ହୃଦ ଶୁଦ୍ଧ ହୁଏ
ସନ୍ତାପ ବିନାଶେ ପ୍ରେମ କଲ୍ଲୋଳେ ।
ବେଦନାକ୍ତ ତୀର୍ଥ ଲୋତକ ପ୍ରବାହ
ତରାଳାଇ ଦିଏ ମରୁ ହୃଦୟ
ପୂଣ୍ଯ ନୟନ ର ପ୍ରେମ ଅଶ୍ରୁଜଳ
ଅନାୟସେ କରେ ପରାଣ ଜୟ ।
ଅଶ୍ରୁଦେବୀ ତୋର ସବୁଠି ଆସ୍ଥାନ
ଅମର ଫକୀର ଧନୀ ଦରିଦ୍ର
ପାପୀ ତପି ପ୍ରେମୀ ସବୁ ଆଖି କୋଣେ
ଭାବ ନେଇ ଝର ତପ୍ତ ଶୀତଳ ।
ତରଙ୍ଗ ଭେଦରେ ସ୍ନାନ କରେ ଏକା
ମମତା ରେ ସିକ୍ତ ଯା ମନ ପ୍ରାଣ
ଦୁଃଖୀ ଆଖି ଲୁହ ପୋଛେ ସେ ଜଗତେ
ଏ ସଂସାରେ ତାର ଜୀବନ ଧନ୍ଯ ।