ସମୟ
ସମୟ


ସମୟ ଅଟଇ ବଡ ବଳବାନ୍
ସବୁ ସମୟ ର ଖେଳ
କେତବେଳେ ସିଏ ଦେବଦୂତ ପରି
କେବେ ଅବା ମହାକାଳ ।
କିଏ କେତବେଳେ ବାସଚନ୍ଦନତ'
କେବେ ପୋକଶୁଙ୍ଘା ଗନ୍ଧ
କିଏ ସନ୍ଦେହ ର ନିର୍ମୂଳି ଲତା ଟି
" କିଏ" ମଧୂ ମାଳତୀର ଛନ୍ଦ ।
କେତେବେଳେ କିଏ ଆପଣାର ହୁଏ
ମମତା ର ମଧୂ ମାଖି
କେତେବେଳେ ତିକ୍ତ ବ୍ଯବଧାନତାରେ
ହୋଇ ଯାଏ ନିରିମାଖୀ ପିତାତ'ଚଖାଏ ମିଠା ତ ଚଖାଏ
କଷା କଟୁ ସ୍ୱାଦ ଦେଇ
ଜୀବନ ବୃକ୍ଷର ବିବେକ ଫଳରେ
ଅମୃତ ବି ଭରି ଥାଇ
ବେଳ ଅବେଳରେ ସମୟ ଚିହ୍ନାଏ
କିଏ କେତେ ଆପଣା ର
ସ୍ୱାର୍ଥ ଓ ଛଳନା ଚଇ ଛଟକ ର
କୃତ୍ରିମ ସ୍ୱଭାବ କାର ।
ସମୟ ଖେଳାଏ ଆମେ ଖେଳୁଥାଉ
ନିଜେ ଦ୍ୱନ୍ଦି ପ୍ରତିଦ୍ୱନ୍ଦୀ
ଦୁର୍ବୁଦ୍ଧି ଅହଂତ୍ୱ ବଡ ପ୍ରତିପକ୍ଷ
ଜ୍ଞାନ ଓ ସୁବୁଦ୍ଧି ବାଦୀ
ମାୟା ଆସକ୍ତି ର ବିଜୟ ନିଶାରେ
ମିଠା ଯନ୍ତ୍ରଣା ର ମୋହେ
ବିଷୟା ପ୍ରବୃତ୍ତି ସଗରବ ଖେଳେ
ସମୟ ଯନ୍ତ୍ରଣା ଦହେ।
କେତେ ପାପ ପୂଣ୍ଯ କର୍ମ ଅକର୍ମ ର
ଜୀବନ ଫର୍ଦ୍ଦର ନଥି
କୃତଜ୍ଞ କୃତଘ୍ନ ନିୟତି ବିଚାର
ପଢାଏ ସମୟ ପୋଥି ।
କାଳର କବଳେ କବଳିତ ସର୍ବେ
ନିଜ କଲାକର୍ମ ନେଇ
ସମୟ ଅଟଇ ବଡ ବଳବାନ୍
କାହାକୁ ସେ ଛାଡେ ନାହିଁ ।