ସ୍ୱପ୍ନର ସୋଉଧ
ସ୍ୱପ୍ନର ସୋଉଧ
ତୁମ ରୂପ ଦେଖି ସଖି ସ୍ବପ୍ନର ସୋଉଧ
ଗଢିଥିଲି କେବେ ଦିନେ କମଳା ପୁରିତ
କେତେ କଳପନା ଆଣି
ଆଶାବାରି ସିଞ୍ଚି ସିଞ୍ଚି ବଞ୍ଚି ଥିଲି ଜାଣି ।
କଳ୍ପନାର ସୋଉଧରେ ଭାସିଲା ବଉଦ
କିଛି କାଳ ଦେଇ ଆଶା ଢାଳିଲା ବାରିଦ
ନିର୍ଦ୍ଦୟ ହୋଇଲା ମୋତେ
ନିର୍ଦ୍ଦୟ କି ନେଲା ତୃଷା ସମୟର ସାଥେ।
ସେଦିନୁ ଜୀବନ ହେଲା କ୍ଷୀଣ ପ୍ରତିକ୍ଷଣ
ଅଶାନ୍ତରେ ବୁଲିଲି ମୁଁ ଛଟପଟ ପ୍ରାଣ
ଏଣେ ତେଣେ ହୋଇ ଆନ
ପାରିଲାନି ବୁଝି କିଛି ଏହାର କାରଣ ।
ଦେଖିଲା ଆକାଶ ତଳେ ଦେଖିଲା ଏ ଧରା
ଦେଖୁଥିଲା ଚୋଉଦିଗ ହୋଇ ବେସାହାରା
ଡାକୁଥିଲା ବଇରାଗ
ନୟନେ ଆସିଲା ନାହିଁ କାର ଅନୁରାଗ।
ମିଥ୍ୟା ଅହଙ୍କାର ଅବା ମଣିଷ ପ୍ରକୃତି
ପାଇବାର ମନବାଞ୍ଛା ପାଏନି ନିବୃତ୍ତି
ପ୍ରବୃତ୍ତିର ଏହି ଇଚ୍ଛା
ଇନ୍ଦ୍ରିୟ ଲାଳସା ମାଗେ ବିଷୟର ଭିକ୍ଷା।
ଅଳପ ଜ୍ଞାନକୁ ଧରି କଲେ ବଡ ଆଶା
ରହିବକି ବଡପଣ ଯିବ କିବା ତୃଷା
ନୀଚ ବୁଦ୍ଧି ବଶେ ବଶ
ଯାଏ ସିନା ବୃଥା ଦିନ ବୃଥାରେ ଅବଶ।
ତଥାପି କାହିଁକି ଜାଣି ଅଜଣା ହେଉଛି
ଅବଶୋଷ ମନ ମୋର ବିବଶ ରହୁଛି
ଏକି ତୁମ ରୂପ ରସ
ତୁମ ବିନା ଏଜୀବନ ହେଉଛି ଅବଶ ।