ଦର୍ପଣ ଓ ମୁଁ
ଦର୍ପଣ ଓ ମୁଁ
ସବୁ ବେଳେ ମୋ ଶବ୍ଦକୁ ସନ୍ଦେହ କଲ
ମୋ କଥା ଗନ୍ଧ ହେଉଥିଲା ତୁମକୁ
ମୁଁ ଗଙ୍ଗାଜରେ ମୁହଁ ଧୋଇଲି
ସଫା କଲି ଶବ୍ଦ ଗୁଡିକୁ
ତଥାପି ମାନିଲନି ତୁମେ
କହିଲ ଏଇଟା ଶେଷ ଦେଖା
ଆଉ କେବେ ଦେଖା ହେବନି ଭାବି
ମୁଁ ଘରୁ ବାହାରିଲି
ତୁମ ସନ୍ଦେହକୁ ପର୍ସରେ ରଖି
ମୋ ସମନାରେ ତୁମେ ବସିଥିଲ
ଭଉଁରି ପରି ପହଁରୁଥିବା ତୁମ ଦୃଷ୍ଟି
ଯେମିତି କହୁଥିଲା " ଗଙ୍ଗାଜଳ ବି ତ ମଇଳା"
ମୁଁ କିଛି କହିବାକୁ ଚାହୁଁଥିଲି
କିଛି ଲେଖିବାକୁ ବି ଚାହୁଁଥିଲି
ଗୋଟିଏ କବିତାରେ
ହେଲେ କେଉଁ ଶବ୍ଦ ମାନଙ୍କ ସାହାଯ୍ୟରେ
ଆହାଃ,ଶବ୍ଦ କିଛି ଉଧାରରେ ମିଳନ୍ତା କି
ଭାବୁଛି ଭୁଲିବି ଏବେଠୁ
ତୁମ କଥା,ତୁମ ହସ, ସ୍ପର୍ଶକୁ
କେତୋଟି ବ୍ୟର୍ଥତାର ରାତିକୁ
ପବିତ୍ର ହେବା ପାଇଁ ଗଙ୍ଗାଜଳର ବା
ଆବଶ୍ୟକତା କଣ?
ଦର୍ପଣ ସାମନାରେ ଠିଆ ହେଲି
ଦୃଷ୍ଟି ଆଢୁଆଳରେ
ଖୋଜୁଥିଲି ଅସ୍ତିତ୍ବକୁ ମୋର
ମୋ ପାଖରେ ତୁମେ ତ ନ ଥିଲ
ଦର୍ପଣ ଭିତରେ ମୁଁ ବା କୋଉ ଥିଲି ଯେ!