STORYMIRROR

Paramita Sarangi

Inspirational

3  

Paramita Sarangi

Inspirational

ଜିଦ୍

ଜିଦ୍

1 min
29

ସେ ଥିଲା ଗୋଟେ ଜରା ଜର୍ଜରିତ

ଉପେକ୍ଷିତ ବଖରାଟିଏ

ଇତିହାସର କେଊଁ ଏକ ଗର୍ବିତ ଦୁର୍ଗର

ଭ୍ରମ ଥିଲା ତାର ସବୁଠୁ ଉଚ୍ଚ ହେବାର

ହଲେ ତାକୁ ଜଣା ନ ଥିଲା

ସହର ରେ ଶୁଖିଲା ଘାସର

ଗୋଟେ ଜଙ୍ଗଲ ବ୍ୟାପିଲାଣି

ଯାହାର ଧାରୁଆ ପତ୍ର ସବୁ

ନିଜ ନିଜ ଭିତରେ ଘଷି ହୋଇ

ହତ୍ୟା କରି ଚାଲିଛନ୍ତି ସ୍ବପ୍ନ ମାନଙ୍କୁ 

ପୂଜା ର ଯୋଗ୍ୟ ଥିବା ପଥରଟି

ସ୍ବାର୍ଥର ଅର୍ଘ୍ୟ ନେଇ ନେଇ

ଭାଙ୍ଗି ଯିବାକୁ ବସିଲାଣି


ନଗ୍ନ ର ଦିନ ରାତି ପାଇଁ 

କାକର ଗୁଡେଇ ସକାଳଟା

ତା ଲଜ୍ଜାକୁ ସାଉଁଟି ବାରେ ଲାଗିଛି

ଅନ୍ଧାରଟା ନିଜ ଭିତରେ ଛନ୍ଧି ହୋଇ

ଆଉ ଗୋଟେ ଅନ୍ଧାରକୁ ଡାକି ଚାଲିଛି


କିଛି ତ କରିବାକୁ ପଡିବ

ଖୋଜିବାକୁ ପଡିବ 

ଶବ୍ଦ ପଛରେ ଲୁଚି ରହିଥିବା ଅର୍ଥକୁ

ସେ ଅର୍ଥକୁ ଗଣିତ ରେ ହିସାବ ନ କରିବା ଭଲ

ନ ହେଲେ ତର୍କ କରୁଥିବା ଶବ୍ଦ ମାନେ

ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ


ଜରୁରୀ ନୁହଁ

କିଛି ଭାଙ୍ଗିବା ବା ଗଢିବା

ଏବେ ଇତିହାସ ର ନୀରବତାକୁ

ଟିକେ ପାଖକୁ ନିଅ

ରଫୁ କରିଦିଅ ତାର ଚିରାଛିଣ୍ଡା ଲୁଗାକୁ

ଶୁଣିନିଅ ତା ଭଙ୍ଗା ଶବ୍ଦର ଗୁହାରୀକୁ

ସେ ବାହାରି ଆସିବ ତାକୁ

ଆଚ୍ଛାଦିତ କରି ରଖିଥିବା 

ଗୋଟେ ଶକ୍ତ ମୁହୂର୍ତ୍ତ ଭିତରୁ


ତୁମେ ଦେଖିବ 

ଏଇ ରାତିଟା ଆଉ ଅଲୋଡା ଜିଦ କରିବନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational