ପୁଣି ଆରମ୍ଭ ହୁଏ
ପୁଣି ଆରମ୍ଭ ହୁଏ


ଏକ ଅଜଣା ଦୁନିଆରେ
ଶବ୍ଦାର୍ଥଙ୍କର ଲକ୍ଷ୍ୟହୀନ ଭ୍ରମଣ
କାଳାନ୍ତରରୁ ଖଣ୍ଡ ଖଣ୍ଡ ଭାଙ୍ଗି
ଖସି ପଡୁଥିବା ମୁହୂର୍ତ୍ତ ମାନଙ୍କ ଭଗ୍ନାଂଶରେ
ଆଜି ବି ବଞ୍ଚିଛି ଖାଲି
ରାଣୀ ନଫର୍ତୀତଙ୍କ ନାଁର ଅକ୍ଷର ଗୁଡିକ
ସ୍ପଷ୍ଟତା ଭିତରେ କେତେ ଅନିଶ୍ଚିତତା
ମୋ ଆଖିର ରେଟିନାରେ
ମୁଁ ହିଁ ନ ଥାଏ,
ଆଲୋକିତ କୋଠରୀ ଭିତରେ
ଦିନ ନୁହେଁ , ଦିନର ଭ୍ରମ ଥାଏ
ମୁଁ ନିରବ ରୁହେ,
ମୋ କବିତା ବି ଉଭେଇ ଯାଏ
ମୁଁ ଅସମର୍ଥ ଥାଏ ,
ପ୍ରଶ୍ନର ଉତ୍ତର ଦେବାକୁ
ମୋ ଭାଷାକୁ ବଖାଣିବାକୁ
ଗୋଟେ ରଙ୍ଗମଞ୍ଚରେ ଲୌକିକ ଭୂମିକାର
ବାସ୍ତବକୁ ବୁଝିବାର କ୍ଷମତା କେଉଁଠି ଥାଏ?
ମୋ କବିତା ଥାଉ କି ଉଭେଇ ଯାଉ
କିଛି ଅଛି , କିଛି ନାହିଁ ଭିତରେ
କଳ୍ପନାକୁ ଭାଙ୍ଗି,ଗଢି
ଭାଗବତର ଶବ୍ଦ ଗୁଡିକ ପରି
ଉଚ୍ଚାରଣ କରେ ଦୃଶ୍ୟ ସବୁକୁ
କିଛି ସ୍ଵଛତାର ପ୍ରତିଫଳନ ନେଇ
ମୋ ଶବ୍ଦ ଗୁଡ଼ିଏ
ମୋ ଡାଇରିରୁ ମୁକୁଳୁଥାନ୍ତି
ମୁଁ ପୁଣି ଆରମ୍ଭ ହୁଏ ସରିଗଲା ପରେ।