STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଜୀବନଟା କେବେ........ "

"ଜୀବନଟା କେବେ........ "

1 min
35

ଜୀବନଟା କେବେ ଧାରା ଶ୍ରାବଣର

           ନିରୁତା ଲୋତକ ବନ୍ୟା 

କେବେ ପୁଣି ସାଜେ ସ୍ନିଗ୍ଧ ବସନ୍ତର 

            ନବ ବିବାହିତା କନ୍ୟା ll

ଘୋର ନିଦାଘର ବୈଶାଖୀ ଝାଞ୍ଜିରେ 

             ହୁଏ ଖାଲି ଦହଗଞ୍ଜ 

ଆଶାର ସୂରୁଜ ଅସ୍ତଗାମୀ ପଥେ 

          ଅବେଳରେ ଆସେ ସଞ୍ଜ ll

ସ୍ୱପ୍ନ ଚଇତାଳି ଜୀବନ ବୃକ୍ଷରେ 

           ଦିଏ ଖାଲି ପତ୍ର ଝଡା 

ଆଖି ସାମ୍ନାରେ ଝଡି ପଡେ ସବୁ 

            ଜୀବନର କୃଷ୍ଣଚୂଡ଼ା ll

ଅସୁମାରୀ ଆଶା ସୀମାହୀନ ସ୍ବପ୍ନ 

           ସମୟ ସୁଅରେ ପଡି 

ଦିଦିନ ବାଟରେ ଅଦିନିଆ ମେଘ 

            ସବୁତ ଦିଏ ଉଜାଡି ll

ଏ ଜୀବନ କେବେ ଶୀତ ସକାଳର 

          ଥୋପାଏ ଶିଶିର ବିନ୍ଦୁ 

ଅମାବାସ୍ୟାର ଏ ଘନ ଅନ୍ଧକାରେ 

           ଭ୍ରମ'ର ପୂର୍ଣ୍ଣିମା ଇନ୍ଦୁ ll

ଆର୍ଦ୍ର ହେମନ୍ତର ସୋରିଷ କ୍ଷେତରେ 

           ଏ ଜୀବନ ପ୍ରଜାପତି 

ଉଡି ବୁଲୁ ବୁଲୁ ଅମଡ଼ା ବାଟରେ 

          ହେଇଯାଏ ତା'ର ଇତି ll

ଶରତର ମାୟା ଚକ୍ରବ୍ୟୁହରେ ଏ 

          ଜୀବନର କାଶତଣ୍ଡୀ 

ଖଣ୍ଡ ଖଣ୍ଡ ହୋଇ ଝଡି ପଡେ ଏଠି 

           ଗୁଣ୍ଡ ହେଇଯାଏ ଗଣ୍ଡି ll

ତଥାପି ମଣିଷ ବୁଝେନି ନିଜକୁ 

           ପାରେନି ନିଜକୁ ଚିହ୍ନି

ଆଶା ଅବଶୋଷ କାମନାରେ ପଡି 

           ଜଳାଏ ଦୁଃଖର ବହ୍ନି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy