ରକ୍ଷା ବନ୍ଧନ
ରକ୍ଷା ବନ୍ଧନ
ଆର ଜନମରେ ଜନମି ମହୀରେ
ରାକ୍ଷୀଟିଏ ହେବି ମୁହିଁ
ଭାଇ ଭଗିନୀର ସମ୍ପର୍କର ଡୋର
ସଉଭାଗ୍ୟ ମୋର ସେହି।
ନିରୁତା ସେନେହେ ଅମାପ ସରାଗେ
ଭଉଣୀ ଭାଇର ହସ୍ତେ
ବାନ୍ଧି ଦେଉଥିବ ସୁଖ ଲଭୁଥିବ
କଳନା ନହୁଏ କେତେ।
ଅଝଟ ପଣର ଛବିଳ ସମୟ
ନୟନ ଗଗନେ ଉଇଁ
ବେନିଜନଙ୍କର ହୃଦ ଛୁଇଁ ଯିବ
ସବୁଜ ସଙ୍ଗୀତ ଗାଇ।
ମମତା ବନ୍ଧନେ ଶରଧା ଚନ୍ଦନେ
ଭଗ୍ନୀର ବଦନ ଚାହିଁ
ପ୍ରତିଶ୍ରୁତି ଦେବ ଛାଇ ହେଉଥିବ
ସୁଖେଦୁଃଖେ ସାଥେ ରହି।
ବିମଳ ଭାବର ଛବିଳ ମୁହୂର୍ତ୍ତ
ହେବ ମୋର ସଉଭାଗ୍ୟ
ଜଗାର ଆଶିଷେ ଜନ୍ମି ଧରା ବକ୍ଷେ
ହେବି ସେଥିପାଇଁ ଯୋଗ୍ୟ।