ରକ୍ଷା ବନ୍ଧନ
ରକ୍ଷା ବନ୍ଧନ


ଆସିଲେ ପରବ ରକ୍ଷା ବନ୍ଧନ
କଇଁକଇଁ ହୋଇ କାନ୍ଦେ ମୋ ମନ ।
ମନେ ପଡ଼େ ପିଲାଦିନର ସ୍ମୃତି
ଅମୂଲ୍ୟ ଅତୀତ ଯାଇଛି ବିତି ।
ଭାଇ ଭଉଣୀଙ୍କ ସରାଗ ପାଇଁ
ଜଗା ପାଦ ତଳେ ମୁଣ୍ଡ ନୁଆଇଁ ।
ପିଠା କ୍ଷୀରି ମାଆ ଗଢ଼େ ଯତନେ
ରାକ୍ଷୀ ପୁନେଇଁ ବରଷକେ ଦିନେ ।
ବାନ୍ଧୁଥିଲି ରାକ୍ଷୀ ଭାଇ ହାତରେ
ଚନ୍ଦନ ସିନ୍ଦୂର ଫୁଲ କାନରେ ।
ବନ୍ଦାଏ ଭାଇକୁ ଚିନ୍ତି ଜୀବନେ
ନ ଆସୁ ବିପଦ ଝଡ଼ ଅଦିନେ ।
ତତେ ମିଳୁ ପେଟା-କାଳିଆ ବର
କଳୁହୁଡ଼ି ତୁହି ଭଉଣୀ ମୋର ।
ଚିଡାଏ ଭାଇ ମୋ ଖାଇଲେ ଭାଗ
ବାପା ଆଣିଥିବା ମୋହନ ଭୋଗ ।
ଭାଉଜ ଆସିଲେ ବୋଲ ମାନିବୁ
ନିଜ କାମ ସବୁ ନିଜେ କରିବୁ ।
ସେତେବେଳେ ତୋ'ର ଏଇ ଭଉଣୀ
ମନେ ପକାଇବୁ ହେବୁ ତୁ ଗୁଣି
।
କେତେ ମିଠାଥିଲା ମୋ ଭାଇ ପ୍ରେମ
ମିଛ ରାଗ ଋଷା କଳହ ଆମ ।
ପୁଣି ବୁଝିଯାଇ ଏକା ଥାଳିରେ
ଖାଇଥାଉ ଦୁହେଁ ସରାଗ ଭରେ ।
ଥିଲା ଆମ ଅଳି-ଅର୍ଦ୍ଦଳି ଯେତେ
ବୁଝୁଥିଲେ ମାଆ ବାପା ମୋ ସତେ ।
ଆଜି ଶାଶୁଘରେ ମାଆ ହେବାରୁ
ବୁଝିଲି ମାଆର ବେଦନା ଗରୁ ।
ପିତା ମାତା ପରି କିଏ ସେ ହେବ
ପିଲାଙ୍କ ମଙ୍ଗଳ ମନାସୁଥିବ ।
ଅସୁମାରୀ ଦୁଃଖ ନିଜର କରି
ଅସରନ୍ତି ସୁଖ ଦେବ ସେ ଭରି ।
ଆମ ଧର୍ମ ବିଧି କେତେ ମହାନ
ସନାତନ ନାମ ଯାହାର ଜାଣ ।
ପବିତ୍ର ସମ୍ପର୍କରେ ଯୋଡ଼ି ହୋଇ
ଜନ ଜୀବନ ରସମୟ ହୋଇ ।
ଭିନ୍ନ ଭିନ୍ନ ଜାତି ଭିନ୍ନ ପରବ
ଭିନ୍ନ ଏ ଓଡ଼ିଆ ଭାଷା ଗରବ ।
ପଲ୍ଲୀ ଠାରୁ ଦିଲ୍ଲୀ ଗର୍ବ ଗୌରବ
ତିନି ଠାକୁରଙ୍କ ଅପୂର୍ବ ଭାବ ।।