ରଖିବା ଜଙ୍ଗଲ ମାନ
ରଖିବା ଜଙ୍ଗଲ ମାନ
ଶିଶୁ ଶାଗୁଆନ୍ ମହୁଲ ଅସନ
ହରିଡା ବାହାଡା ଅଁଳା,
ଶାଳ ପିଆଶାଳ ଗମ୍ଭାରୀ କଇଁମ
ନାନା ଜାତି ଗଛ ମାଳା ।
ଉଚ୍ଚ ବୃକ୍ଷ ମାନ ଘଞ୍ଚ ବଣ ବୁଦା
ମନ ନେଇ ଯାଏ ଜିଣି,
ଦିଏ ଫଳମୁଳ ଝରଣାର ଜଳ
କୁଳୁ କୁଳୁ ମିଠା ପାଣି ।
ନେଉଳ ଖେଳୁଛି ବୁଦା ଉହାଡରେ
ସାପ ମାନେ ଲଣ୍ଡ ଭଣ୍ଡ,
ହରିଣ ଠେକୁଆ କଟାସ ବିଲୁଆ
ଏଣ୍ଡୁଅ ଟେକୁଛି ମୁଣ୍ଡ ।
କିଚିରି ମିଚିରି ବଣି ଗାଉଥାଏ
ଗୁଣୁଗୁଣୁ ମଧୁ ମକ୍ଷି,
ଧରା ପୃଷ୍ଠେ ନାଚେ ଖୁସିରେ ମୟୂର
ଆକାଶରେ ମେଘ ଦେଖି ।
ମତୁଆଲା ହୋଇ ରସିକ ଭ୍ରମର
ଫୁଲ ପାଶେ ଭ୍ରମୁ ଥାଏ,
ରଙ୍ଗିନୀ ଡେଣାକୁ ମେଲି ପ୍ରଜାପତି
ଫୁଲୁଁ ଫୁଲେ ଉଡ଼ି ଯାଏ ।
ସୁନ୍ଦର ଆମରି ଜଙ୍ଗଲ ବନାନୀ
ସକଳ ଜୀବ ଜୀବନ,
ଦିଏ ବର୍ଷା ଜଳ ଔଷଧ ଔଷଧୀ
ଚାଲ ରଖିବା ତା ମାନ ।
ଜଙ୍ଗଲ ଦିଅଇ ଶୀତଳ ସମୀର
ସୁସ୍ଥ ପରିବେଶ ଜାଣ,
ନଥିଲେ ଜଙ୍ଗଲ ହେବ ମରୁଭୂମି
ସଭିଙ୍କ ହେବ ମରଣ ।
ରଖିବା ଜଙ୍ଗଲ ମାନ ।।