STORYMIRROR

Anita Dash

Abstract Others Children

4  

Anita Dash

Abstract Others Children

ପିଲା ଦିନକୁ ଫେରିଯିବା

ପିଲା ଦିନକୁ ଫେରିଯିବା

1 min
267


ଜୀବନ ଜଂଜାଳ ବୋଝ ଥୋଇ ଟିକେ

ଶାନ୍ତିରେ ନିଶ୍ୱାସ ନେବା,

ସମୟର ପହି, ପଛୁଆ ଘୂରେଇ,

ପିଲା ଦିନକୁ ଫେରିବା । [୧]


ଥାଟ ବାଟ ଛାଡି, ଚାଲ ଯିବା ଚାଲି

ମନ-ଫୁଲର ସହରେ ,

ମଜା କେତେ ଟିକି ସ୍ମୃତି-ପ୍ରଜାପତି

ପଛୁ ଲୁଚି ଧରିବାରେ। [୨]


ଲୋଭ ଗରବ ଓ ଈରିଶା ଭାବକୁ

ଫିଙ୍ଗିଦେବା ମୁଠା ଖୋଲି ,

ସରଳିଆ ଶିଶୁ ଚପଳତା ପଣ

ଭରି ନେବା ମନ ଭରି । [୩]


କେଡେ ସୁନ୍ଦର ସେ ଖିଆଲି ଜୀବନ

ଅଜବ ଅବୁଝା କ୍ଷଣ,

ଆକାଶର ଜହ୍ନ ତୋଳି ଆଣି ହାତେ-

ଧରିବା ଅଝଟ ପଣ । [୪]


ମନରେ ନଥିଲା ଛନ୍ଦ- କପଟତା

ପର-ଆପଣାର ଭାବ,

ସେନେହର ଭାଷା ବୁଝି ହେଉଥିଲା

ମଧୁର ସେ ଅନୁଭବ । [୫]


ଧୂପ ଖରାଟାରେ କଙ୍କି, ପ୍ରଜାପତି,

ଧରିବାର କେତେ ମଜା,

ନିଜ ଛାଇ ପଛେ ଧାଇଁ ଧାଇଁ, ତଳେ

ପଡିବା ବୋକାମୀ ସଜା । [୬]


ବଉଳ ସାଥିରେ କଣ୍ଢେଇ ଖେଳରେ

ପୁଅ ଝିଅ ବାହାଘର,

ବାଲିଘର କରି ଖେଳନା-ହାଣ୍ଡିରେ

ଭାତ, ତରକାରୀ ଝୋଳ। [୭]


ମାଆକୁ ଲୁଚେଇ, ଅମୂଲୁ, ଆଚାର,

ଖଞ୍ଜରେ ଖାଇବା ମଜା,

ସାଙ୍ଗ ମେଳେ ଯାଇ କଞ୍ଚା-ଆମ୍ବ, କେନ୍ଦୁ,

ତେନ୍ତୁଳି, କଇଥ ଖୋଜା । [୮]


ଝିଟିପିଟି ବଢି କୁମ୍ଭୀର ହୁଅନ୍ତି,

ବିଲେଇ ବଢିଲେ ବାଘ,

ହସ ଲାଗେ ଏବେ ଭାବି; ସେ ସରଳ

ମାନସିକତାର ଭାବ । [୯]


ସଂସାର ଜ୍ୱଳନ, ଦୁଃଖର ଶ୍ରାବଣ

ଅପହଞ୍ଚ ଯହିଁ ଥିଲା,

ହସ ଖୁସି ଭରା ବିହ୍ଵଳିତ ମନ

ଆହାକି ସୁନ୍ଦର ଭଲା ! [୧୦]


ତେଜି ଦେବି ସବୁ ଧନ-ଦଉଲତ,

ପ୍ରଜ୍ଞା, ପ୍ରତିପତ୍ତି, ମାନ ,

ପ୍ରତିବଦଳେ ମୋ ପ୍ରିୟ ପିଲାଦିନ

ଆଣି ଦିଅ ଭଗବାନ ! [୧୧]




Rate this content
Log in

Similar oriya poem from Abstract