ମୋ ଗାଁ ଭାରି ବାସେ
ମୋ ଗାଁ ଭାରି ବାସେ
ମୋ ଗାଁ ବାସନା ନିଆରା ନିଆରା
ସବୁ ମନ ନିଏ ମୋହି
ଶୀତ ହେଉ ଅବା ବରଷା କାକର
ମହୁଆ ମଳୟ ବହି
ପହିଲି ବରଷା ବରଷଇ ଯେବେ
ଭିଜା ମାଟି ଭାରି ବାସେ
ଧାନ ହାଟ କରି ଫୁଲ ଉଡାଇଲେ
ଗାଁମୁଣ୍ଡଯାଏ ବାସେ
ମେଘୁଆ ରାତିକୁ ମହକାଇ ଦିଏ
ଝରା ସେଫାଳୀର ବାସ
ସକାଳୁସକାଳୁ ଘାସ ଗାଲିଚାରେ
ବିଛେଇ ଯାଏତା ହସ
ଶୀତୁଆ ସକାଳେ ଧାନ ହୁଏ ଉ°ସା
ଆଈ ଜାଳେ ବସି ଚୂଲି
ଅଧା ସିଝା ଧାନ ମହକକୁ କୁହ
କେମିତି ପରିବି ଭୁଲି
ଫଗୁଣ ଆସିଲେ ମହୁଲ ଗଛରେ
ରଙ୍ଗଯାଏ ସତେ ଭରି
ମହୁଲ ଫୁଲର ମହୁଲି ମହକେ
ମନଯାଏ ମୋର ପୂରି
ଆମ୍ବ ବଉଳର ବାସ ଚହଟିଲେ
କୋଇଲି ହୁଅଇ ବଣା
ମିଠା ଗୀତେ ତାର ମନ ହଜିଯାଏ
ବେଳ ପଡେନାହିଁ ଜଣା
କିଆ କେତକୀର ବାସ ଚହଟିଲେ
ପାଦ ଯାଏ ଝୁମିଝୁମି
ପାଗଳ କରଇ ତମାଳ ବନର
ବାସନା ଗଲେରେ ଚୁମି
ଝାଞ୍ଜି ପବନରେ ମାଟିକୁ ତତେଇ
ଗୀରିଷମ ଯେବେ ଆସେ
ମଧୁମାଳତୀ ଓ ମଲ୍ଲିଫୁଲ ଫୁଟେ
ମହମହ ହୋଇ ବାସେ
ମୋ ଗାଁ ମହକ ମୋ ଗାଁ ବାସନା
ଅଜଣା ପୁଲକ ଭରେ
ନିତି ଶିଖାଏ ସେ ନୂଆନୂଆ କଥା
ସପନର ନଈ ଧାରେ ।