ରଜର ସଜ
ରଜର ସଜ
କବାଡ଼ି ,କବାଡ଼ି ବୋଲି
ଗୋରୀ ତୋର ଆମ୍ବତୋଟାର ଦୋଳି
ମିତଣୀ ଲୋ,
ଚିପା ଓଠ ରଙ୍ଗ ନାଲି,
ପାରୁନି ଜମାରୁ କ୍ଷଣିକେ ଭୁଲି
ମିତଣୀ ଲୋ ।
ତୋ ସାହି କନିଆଁ ମେଳ
ଅତର ବାସନା ,ଗଜରା ହାର
ମିତଣୀ ଲୋ,
ମୋତେ ଦେଖି ହସୁଥିଲ
ଆଡ଼ ଚାହାଣୀ ଆଖିର ଠାର
ମିତଣୀ ଲୋ ।
ତୋ ମୁଣ୍ଡେ ଜାଉଁଳି ବେଣୀ
କାଳନାଗ ସମ ଦେଉଛି ହାଣି
ମିତଣୀ ଲୋ,
ତୋର ଲାଜୁଆ ଚାହାଣୀ,
ଗୋରୀ କହ ହେବୁ କି ମୋ ଘରଣୀ,
ମିତଣୀ ଲୋ।
ରଜ ପାନ ଦିଆ ନିଆ
ମୁଁ ଗୋଟେ ମାଗିଲେ ନଦେଉ ଛୁଆଁ
ମିତଣୀ ଲୋ,
କହୁ ନାଲି ରିବନ ନେଇକି ଆ,
ସିନ୍ଦୂର ଫରୁଆ ସଜାଡି ଥା
ମିତଣୀ ଲୋ ।
କେତେ ରଜ ଚାଲିଗଲା
ଏଇ ରଜ ଦୋଳି ଖାଲି ପଡିଲା
ମିତଣୀ ଲୋ,
ବିଦେଶୁ ଆସିଲି ଧାଇଁ
ସିନ୍ଦୁର ଫରୁଆ ରିବନ ନେଇ
ମିତଣୀ ଲୋ ।
ଏସନ ରଜର ସଜ
ବିଡ଼ିଆ ପାନକୁ ନାଲି କାମିଜ
ମିତଣୀ ଲୋ,
ସଜବାଜ ହୋଇ ଗଲି
ଦୋଳିରେ ତୋ କୋଳେ ପୁଅ ଦେଖିଲି
ମିତଣୀ ଲୋ ।
ହାଏରେ କପାଳ ଫଟା
ଛେନାପୋଡ଼ ସବୁ ଲାଗିଲା ଖଟା
ମିତଣୀ ଲୋ,
ତୋର ମୋର ଏ ସମ୍ପର୍କ
ବିଧାତା କରିଛି ତୋର କି ଦୋଷ
ମିତଣୀ ଲୋ।

