ରହି ପାରିବିନି ତୁମକୁ ଛାଡି
ରହି ପାରିବିନି ତୁମକୁ ଛାଡି
ପ୍ରିୟତମ ତୁମେ ବଜାଅନି ଆଉ
ମୋହନ ମୂରଲୀ କରୁଛି ବାଇ ,
ଭାରି ନିଦାରୁଣ ସ୍ବନ ତା ମଧୁର
ହରି ନିଏ ମନପ୍ରାଣକୁ ମୋହି ।
ନୁହେଁ ମୁଁ ପ୍ରେୟସୀ ଚାରୁ ଚନ୍ଦ୍ରାବଳୀ
ଆବୋରିବି ଗୋଟାପଣେ ତୁମକୁ ,
ଜାଣିଛି ତୁମେ ତ ଭାବକୁ ନିକଟ
ଦୂର ଅଭାବକୁ ଜ୍ଞାନୀ ଚକ୍ଷୁକୁ ।
ତୁମେ ଅବିନାଶୀ ଅଟ ସର୍ବବ୍ୟାପୀ
ଅବ୍ୟକ୍ତ ଅଚ୍ୟୁତ ସଚ୍ଚିଦାନନ୍ଦ ,
ତୁମ ବିନା ଏଇ ସୃଷ୍ଟି ଅସମ୍ଭବ
ସର୍ବମୟ କର୍ତ୍ତା ତୁମେ କାରଣ ।
ଅନୁସରି ପଥ ରହିଅଛି ମୁହିଁ
ଜନ୍ମ ଜନ୍ମାନ୍ତରୁ ଯାବତ ସତ୍ଯ ,
ପଦ ଅରବିନ୍ଦ ଲଭି ମକରନ୍ଦ
କରିବି ପ୍ରାଣକୁ ମୋର ସାର୍ଥକ ।
ପ୍ରବହେ ତଟିନୀ କୋମଳ ମୋ ଆଶା
ଉବୁଟୁବୁ ପ୍ରେମ ଭାବ ବିଭୋରେ ,
ହେବି ଏକାକାର ଚାହୁଁଛି କେଶବ
ମିଶିବି ସଙ୍ଗମେ ନୀଳ ସାଗରେ ।
ସମର୍ପି ଦେଉଛି ନିଜକୁ ମୁଁ ନିଜେ
ପ୍ରୀତି ଅନୁରାଗେ ରାଧିକା ଭାବେ ,
ରହି ପାରିବିନି ତୁମକୁ ମୁଁ ଛାଡି
ତଲ୍ଲୀନ ଚିତ୍ତ ମୋ ପ୍ଲାବେ ନୀରବେ ।

