ରାତି ପାହିଯାଏ
ରାତି ପାହିଯାଏ
ଇଚ୍ଛା ହୁଏ, ହୁଅନ୍ତା କି
ଜୀବନ ଟା ଏକ ରଫ ଖାତା
ରଙ୍ଗ ବେରଙ୍ଗ ସ୍ୟାହି ରେ
ଲେଖି ଯାଆନ୍ତି ମନର
ବେଢଙ୍ଗିଆ ଅନା ବନା ଇଚ୍ଛା ।।
ସ୍ୱପ୍ନ ର ଝରକା ବାଟେ
ଦେଖି କଳା ଧଳା ଛବି
ରଫ ର କାନଭାସ୍ ରେ ଆଙ୍କନ୍ତି
ମୋ ମନ ପସନ୍ଦିଆ
ଚରିତ୍ର ର ରଙ୍ଗଦିଆ ପ୍ରତିଛବି ।।
ଅସଜଡ଼ା ସିନେରୀ ର ଫର୍ଦ୍ଦ
ଚିରି ଦେଇ ଅଲୋଡ଼ା ବେଳାରେ
ପରିଚିତ ଚିହ୍ନା ଜଣା
ଅତୀତ ର ପୃଷ୍ଠା ଯୋଡ଼ି
ଲେଖି ଦିଅନ୍ତି ଭବିଷ୍ୟତ
ନୀଳ ସ୍ୟାହିରେ ମୋ ଇଚ୍ଛା ମୁତାବକ ।।
ଯୋଡନ୍ତି ଖଟା ମିଠା
ଅତୀତ ର ମହୁ ଝରା ପୃଷ୍ଠା
ବୁକୁରେ ଚାପି ଧରି ଗାଇ ଯାଆନ୍ତି
ମନ ଖୋଲା ଗୀତ
କିନ୍ତୁ ଏତେ ସ୍ୱପ୍ନ କୁ ରାତି କାହିଁ
ଜୀବନଟା ଯେ ଦିବା ସ୍ୱପ୍ନ
ଖାଲି ଭାବି ହୁଏ
ବୁଝିବା ବେଳକୁ ରାତି ପାହିଯାଏ ।।
ସମାପ୍ତ ।।