ଅଲୁଚା ଲୁଚା ପ୍ରୀତି!!
ଅଲୁଚା ଲୁଚା ପ୍ରୀତି!!
ଜୀବନ ନିଦାଘ ର ଡହ ଡହ ତାତି
ଆଡ଼େଇ ଦେଇ ଚାହିଁ ବସିଥିଲି
କୁହୁଡିଆ ସଞ୍ଜ ବେଳେ
ମୁହଁଟାକୁ ଢାଙ୍କି ଦେଇ ଆସିଥିଲ
ହାତ ରେ ନିବୁଜ ଲଫାପା ଧରି
ବଢ଼ାଇ ଦେଲ ହାତକୁ
ଭାବି ବସିଲି ବୟସର ଅଭାବି ବେଳାରେ
ହେଇଥିବ ବୋଧେ ପ୍ରେମ ଅନୁରୋଧ ର
ଖଣ୍ଡେ ରଙ୍ଗୀନ ଚିଠି ll
କିଛି ନ ଜାଣିଲା ଭଳି ପଚାରିଲି
କହିପାରିବ କି କଣ
ଅଛି ଏ ବନ୍ଦ ଲଫାପାରେ
ସୁନା ନା ହୀରା ନା କେଉଁ
ଏକ ଅମୂଲ୍ୟ ଦରବ, ଯାହା
କଳି ପlରିବା ମୋ ଭାବ ବହିର୍ଭୁତ
ଜାଣିଗଲ ତମେ ମୁଁ ଲୋଭାସକ୍ତ ବୋଲି l
ଆର୍ଦ୍ର ଗମ୍ଭୀର ମୁହଁ ର ଭାବ
ନଦିଶି ମଧ୍ୟ ଦିଶୁଥିଲା ତମର ଉପଢୌକନ ରେ
ଅନିୟନ୍ତ୍ରଣ ବହ୍ନିରେ ଜଳି ମଧ୍ୟ
ଜଳୁଥିଲ ଶବ୍ଦ ଅଙ୍ଗାର ରେ
ଅଲୁଚl ଲୁଚା ଯନ୍ତ୍ରଣା ଧରି
ଅନିଚ୍ଛା ହସଟେ ହସି କହିଥିଲ
ଅଛି ଏଥିରେ ହୃଦୟ ର ତାଲା ଆଉ ଚାବି l
ନାହିଁ ଏଥିରେ ସୁନା ର ଛାଉଣୀ
ଅବା ତତେ ତଉଲିବାକୁ ରତ୍ନ ର ଗଉଣି
ହେଇଥିବି ବୋଧେ ତୋ ପାଇଁ
ରାସ୍ତା ଧାର ରେ ଦଣ୍ଡାୟମାନ ଅଲୋଡ଼ା ପ୍ରେମିକ ଟେ
ମୋ ପାଇଁ ତୁ କିନ୍ତୁ ଜୀବନ ର ବାଣୀ
ରଖିଲେ ରଖ ଭାଙ୍ଗିଲେ ଭାଙ୍ଗ
ଚାହିଁଥିବି ତତେ ଧରି
ପ୍ରେମର ଆହୁଲା ଆଉ ଭଲପାଇବା ର ତରଣୀ l
ଚାଲି ଯାଇଥିଲ ଥରେବି ନଚାହିଁ
ପଛରେ ରହି ଯାଇଥିବା ମୋ,
ଅଭିମାନୀ ମନର ଅନ୍ୟମନସ୍କ ଭାବକୁ
ଅପସରି ଯାଉଥିଲା ବୟସର ଆଲୋକ
ମାଡ଼ି ଆସୁଥିଲା ଅସହାୟତାର ବିସ୍ତିର୍ଣ୍ଣ
ଅନ୍ଧାରିଆ ବାର୍ଦ୍ଧକ୍ୟ ର ଅଶରୀରି ରାତି
ମୁଁ କିନ୍ତୁ ମାପୁଥିଲି ଲୁଚା ଚେହେରା ପଛରେ ଥିବା
ଅକୁହା ଅଦେଖା ଭଲପାଇବା ର ଗଭୀରତା କୁ
ଅଜଣା ଚାଉଳ ଭାତ ଖାଇ ରହିଗଲି
ଆଉ ହେଇଗଲା ପ୍ରେମ ର ଇତି
ହାତ ମୁଠାରେ ରହିଗଲା ଅଲୁଚା ଲୁଚା ପ୍ରୀତି ll

