ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀ ନୁହେଁ ସେ ସ୍ନେହ ମମତାର ବନ୍ଧନ
ଭାଇ ଭଉଣୀଙ୍କ ଖୁସି ।
ପ୍ରୀତି ପାରାବାରେ ସେ ଅମୃତର ସନ୍ଧାନ
ତମସା ରହିତ ଶଶୀ ।।
ଭାଇ ଭଉଣୀ ଙ୍କ ଅତୁଟ ମମତା ରାକ୍ଷୀ
ସମ୍ପର୍କର ରଜ୍ଜୁଟିଏ ।
ଥରେ ବାନ୍ଧିହେଲେ ତୁଟେନାହିଁ ସେ ଡୋରି
ସ୍ନେହର ପ୍ରତୀକ ସିଏ ।।
ଭାଇ ହାତରେ ଭଉଣୀ ବାନ୍ଧିଦେଇ ରାକ୍ଷୀ
ପ୍ରତୀଜ୍ଞାରେ ଦିଏ ଛନ୍ଦି ।
ଛାଇ ଭଳି ସେ ଭଉଣୀ ପାଖେ ଥିବ ରହି
ତା ରକ୍ଷାକବଚ ସାଜି ।।
ଭାଇ ଭଉଣୀଙ୍କ ଭାବ ପ୍ରୀତି ର ବନ୍ଧନ
ଭବ ସଂସାରର ରାକ୍ଷୀ
ଭଉଣୀର ତ୍ୟାଗ ବଳେ ଭାଇ ବଳିଦାନ
ଯୁଗ ଯୁଗକୁ ସେ ସାକ୍ଷୀ ।।
ଶ୍ରାବଣ ମାସେ ପବିତ୍ର ପୂର୍ଣ୍ଣିମା ତିଥିରେ
ଆସଇ ଏହି ପରବ ।
ପୃଥି କମ୍ପୁଥାଏ କେଡେ ଆନନ୍ଦ ଉଲ୍ଲାସେ
ସବୁରି ମୁଖେ ହରସ ।।
ବଳୀ ରାଜା ହସ୍ତେ ଲକ୍ଷ୍ମୀ ବାନ୍ଧିଥିଲେ ରାକ୍ଷୀ
ପାତାଳ ପୁରକୁ ଯାଇ
ପତିଙ୍କୁ ତାଙ୍କର ସପ୍ରେମେ ଆଣିଲେ ଫେରି
ବିଷ୍ଣୁଲୋକ ବାହୁଡ଼ାଇ ।।
ସୁଭଦ୍ରା ଭଉଣୀ ବାନ୍ଧନ୍ତି ସ୍ନେହର ଡୋରି
ଜଗା ବଳିଆଙ୍କ ହସ୍ତେ ।
ଭାଇ ଭଉଣୀଙ୍କ ସ୍ନେହ ମମତାକୁ ଦେଖି
ଜଗତ ମୁରୁକି ହସେ ।।
