STORYMIRROR

Jambeswar Dalai

Tragedy

4  

Jambeswar Dalai

Tragedy

ରାକ୍ଷୀ ଭିଜୁଛି ଆଖି ଲୁହରେ

ରାକ୍ଷୀ ଭିଜୁଛି ଆଖି ଲୁହରେ

1 min
176


ରାକ୍ଷୀ ଆଉ ଆଖି

ତୁମେ ଦୁହେଁ ଥିଲ

       ଆମ ସମ୍ପର୍କର ସାକ୍ଷୀ

ରଙ୍ଗ ସୂତାଟିଏ

ନିର୍ବିକାର ହୋଇ

        କରିଥିଲୁ ମୋତେ ସୁଖୀ । 


ରାକ୍ଷୀ ପୂର୍ଣ୍ଣିମାରେ

ପ୍ରତି ବର୍ଷ ଗଢୁ

      ସମ୍ପର୍କର ସେତୁବନ୍ଧ

ଅତୁଟ ବନ୍ଧନ

ପରଷ୍ପର ମଧ୍ୟେ

      ପାଇଛି ସୁଖ ସାନ୍ନିଧ୍ୟ । 

 

ସ୍ନେହ ସରାଗରେ

କିଣି ଆଣିଥିଲି

       ନାଲି ସୂତା ମାଳି ରାକ୍ଷୀ

 ହସ୍ତରେ ବାନ୍ଧିଲେ 

ସୁନ୍ଦର ଦିଶିବ

       ଆଖି ଯିବ ମୋର ଲାଖି । 


ଅରୁଆ ଚାଉଳ

ହଳଦୀ ଓ ଦୀପ

     ଥାଳିରେ ଫୁଲ ଚନ୍ଦନ

ଅତି ଯତନରେ

ସଜାଇ ରଖିଛି

      ମିଠାରେ ତୋହରି ମନ । 


ଭାଇ ଭାଇ ବୋଲି

ଘରେ ମୁଁ ଖୋଜିଲି

       ନଦେଲୁ ମୋତେ ଉତ୍ତର

ରୋଷଘରୁ ଆସି

ମାଆ ମୋ କହିଲା

       ଭାଇକି ହେଉଛି ଜ୍ଜ୍ବର । 


କାହିଁକି କେଜାଣି

ଅଦିନିଆ ଝଡ

       ନେଇ ମହାମାରୀ ରୂପ

ବିଷାଦର ଛାୟା

ମନରେ ମୋହର

      ଛୁଉଁଛି ଅନେକ ପାପ । 


ପାପ ମନ ମୋ'ର

ସତ ହୋଇ ଗଲା

       ଶୁଣି ହେଲି ହତବାକ୍

କାନ୍ଦି କାନ୍ଦି ଡାକି

ତଣ୍ଟି ଶୁଖିଗଲା

      ଶୁଣିଲୁ ନାହିଁ ମୋ ଡାକ । 


ରାକ୍ଷୀକୁ ଧରିଛି

ହାତ ପାପୁଲିରେ

       ସପନ ରହିଲା ଅଧା

ରାକ୍ଷୀ ଭିଜୁଥିଲା

ଆଖି ଲୁହରେ ମୋ

      ଲାଗୁଥିଲା ସବୁ ଓଦା । 


କେତେ ଆଶା ନେଇ

ମଶାଣି ଭୁଇଁକୁ

       ଆସିଥିଲି ମୁହିଁ ଧାଇଁ

ତୋ ମୁହଁ ଦେଖିବା

ଆଶାରେ ରହିଲା

      ଛୁଇଁବି ପାରିଲି ନାହିଁ ।  


ରକ୍ଷା କବଚ ତୁ

ହୋଇ ରହିଥିଲୁ

     ରହୁଥିଲୁ ପାଖେପାଖେ । 

ପତର ପଡିଲେ

ପଥର ଭାବି ତୁ

      ଉଦ୍ଧାରୁ ସବୁ ବିପଦେ ।


ଏକୋଇର ବଳା

ବିଶିକେଶନ ତୁ

      ମା'ର ଥିଲୁ ଗଣ୍ଠିଧନ

ତୋ ବିନା ସଂସାରେ

ବାପା ମାଆ ମୋର

      କେମିତି କାଟିବେ ଦିନ। 


କି ଦୋଷ କରିଛି

ପ୍ରଭୁ ଜଗନ୍ନାଥ

     ଏତେ ଦଶା ଦେଲ ମୋତେ

ଗୁହାରି କରୁଛି

ତୁମ ଶ୍ରୀଚରଣେ

     ସାହା ହୁଅ ତୁମେ ମୋତେ ।


ଏ ଦାରୁଣ ଦୁଃଖ

ଆଉ କାହା ଭାଗ୍ୟେ

       ନ ଯୁଟୁ କଳା ଠାକୁରେ

ରାକ୍ଷୀ ପୂର୍ଣ୍ଣିମାରେ

ଭଉଣୀର ରାକ୍ଷୀ

       ନ ଭିଜୁ ଆଖି ଲୁହରେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy