ପଥର
ପଥର
ଜ୍ଞାତରେ କାର ନାହିଁ ମୋ ଇତିହାସ ଲୁପ୍ତ କାହାଣୀ,
ସତ୍ୟ ପରସିବାରେ ସକ୍ଷମ କେବଳ ମୋଅରି ବାଣୀ ।
ଶୁଣ ମୋର ବିସ୍ତୃତ ଜୀବନୀ, କେଉଁ କାଳୁ ଏ ରହଣି ।
ମୁଁ ଏକ କଳା ମୁଗୁନି , ଏ ସର ମୋ ପ୍ରିୟ ମିତଣୀ ,
ଗଢିଉଠି ଥିଲା ଗୋରା ଶାସନେ ଏ ଗ୍ରାମ ଜନ ବସତି ,
କଟୁ ଥିଲା ଜନ ଜୀବନ ଗ୍ରୀଷ୍ମ ରୌଦ୍ରେ ଦୁଃସହ ଅତି ।
ହେଲା ତେଣୁ ସୃଷ୍ଟି ସୁନ୍ଦର ଏଇ ଗଭୀର ପୁଷ୍କରିଣୀ,
ନିତିପ୍ରତି ତୁଠେ ଗହଳ ଚହଳ ଗୃହିଣୀ ଠାରୁ ଧୋବଣି ।
ଆସ୍ଥାନ କାରଣେ ମୋତେ ଯେବେ ଥାପିଥିଲେ ପୁଣି।
ମାଜନ୍ତି ଗୌରଅଙ୍ଗ ସ୍ନାହାନ କାଳେ ବହୁ ଗ୍ରାମ ରମଣୀ ,
ରଙ୍ଗାଏ ବେସନ ହଳଦିରେ ମୋତେ କିଶୋରୀ କାମିନୀ,
କେବେ ଅବା ନବବଧୂ ପୟରୁ ଝରେ ନାଲି ଅଳତା ପାଣି।
ଏଇ ସରୋବର କୂଳେ ମୁଁ ପରା ସଭିଙ୍କ ତୁଠ ପଥର ,
ଅରୁଣ,ବାରିଦ ଝଞ୍ଜା ସହି ବି ପାଏନା କିଞ୍ଚିତ ଆଦର ।
କଥାଟିଏ ଅଛି . ନା...ନୂଆ ନୂଆ ଭାରି ଆଦର ,
ପୁରୁଣା ହେଲେ ତୁଠ ପଥର ।
ଘଟଣା, ବିଘଟନ ଏ ଭୂଖଣ୍ଡର ଏଠାରେ ମିଳେ ସଦ୍ୟ ଖବର ,
ବଧୂ କିଶୋରୀ ପେଡି ଖୋଲନ୍ତି ତୁଠେ ନିତି ନାନା ଗଳ୍ପର ।
ହୁଅନ୍ତି ଅସ୍ଥିର ନ ମଜ୍ଜିଲେ ଗଳ୍ପରେ ସ୍ନାନମେଳେ ନାରୀଗଣ ,
ଚିଗୁଲି ଛାଗୁଲି କରନ୍ତି ଯେତେ, ଅଙ୍ଗେ ବଟା-ହଳଦି ଲେପିଣ ।
ଗାଆନ୍ତି କିଛି ପୌଢା, ଡାକିଲେ ନୂଆବୋହୁ ଦେଖିବା ପାଇଁକି ,
"ଘରକୁ ଯିବି କାଇଁକି, କାଲିକି ସେ ତୁଠକୁ ଆସିବ ନାଇଁକି?"
ପାରିବାରିକ ଆଲୋଚନା ପର୍ଯ୍ୟାଲୋଚନାର ବିଶେଷ ସମ୍ଭାର,
ନଣନ୍ଦ-ଭାଉଜ,ଶାଶୁ-ବୋହୁ କଳିର ଯା ସବୁ ନ୍ୟାୟିକ ବିଚାର ,
କାହିଁକି, କୋଉଠି କାହାର ଗୋଡଖସା ଭିତିରି ବ୍ୟାପାର,
କେ ପୁଣି ଦେଲା କେଉଁ କନ୍ୟାା ଠାରେ ତେରେଛା ନଜର,
ଚୋରି ,ଧପାବାଜି ଲୁଣ୍ଠନ ଜାଲିଆତି ଯେତେ କୁନୀତି କାଣ୍ଡ ,
ଉଗାଳନ୍ତି ବସି ସମ୍ବାଦ ସମସ୍ତ କିଛି ସୁନ୍ଦରୀ ଲଳନା ଉଦଣ୍ଡ ।
ପଡିଥାଏ ଶାନ୍ତ ନିଶ୍ଚଳ ସବୁ ଜାଣି, ସବୁ ଶୁଣି ମୁଁ ପାଷାଣ,
ମୂକସାକ୍ଷୀ ମୁଁ ସତ୍ୟ ମିଥ୍ୟାର,କେଜାଣି କିଏ ଦେଇଛି ରାଣ ।
* * * * * * * * * * * * * * *
ପିଲାଦିନେ ବିତାଇଛି ଏ ଗାଁରେ କେତେ ଉନ୍ମାଦନାର ଦିନ,
ସେ କାଳର ଚପଳାମି ମାମୁଁଘରେ ବିତେ, ଉଡନ୍ତା ସେ ମନ।
ଆଜି ତ ନାହିଁ ଆଉ ତୁଠେ ସଖୀ- ସଙ୍ଗାତ ଗାଧୁଆ ଠାଣି ,
ଘରେ ଘରେ ନିର୍ମିତ କୋଠରୀ ଖଞ୍ଜା କଳ - ନଳର ପାଣି ।
ସବିତାର ତ୍ୟର୍ଯ୍ୟକ ରଶ୍ମିରେ ଆଜି ବି ସେମିତି ଝଲସି ଉଠୁଛୁ ,
କୃଷ୍ଣ ରଙ୍ଗକୁ ଚୋରାଇ ରେ" ମୁଗୁନି ସେକାଳୁ ପୁଷ୍କର ଜଗିଛୁ ?
ତୁ ନୋହୁ ଗ୍ରୀଷ୍ମ ବର୍ଷାରେ ବିଘଟିତ ଏକ ନିର୍ଜୀଵ ପାଷାଣ,
ତୁ ବିସୃତ ଐତିହ୍ୟ,ସଂସ୍କୃତି ଗାଥା ଲେଖା ଜୀବନ୍ତ ପ୍ରମାଣ ।