ଧାରା ଶ୍ରାବଣ
ଧାରା ଶ୍ରାବଣ
ଝିପିଝିପି ବାରି ଝରାଏ ଅହର୍ନିଶି ଧାରା ଶ୍ରାବଣ ,
ଆନନ୍ଦେ ନାଚୁଛି ବର୍ଷାରାଣୀ ବାଜେ ନୁପୁର,କଙ୍କଣ ।
ରଚିଲା ପୀପାସୁ ମନେ ଅପରିମିତ ଅକୁହା ଶିହରଣ ,
ନିଶା ତମାମ ଜଳଧାରା ଅବିରତ ଶବ୍ଦ ରଣଝଣ।
ନଭ ମଣ୍ଡଳେ ଭାରି ଭାରି ଆଦ୍ରତାର ସମ୍ମିଶ୍ରଣ,
ଦରଜା, କାନ୍ଥ ସାରା ଫିମ୍ପିର ଧୋବଳିଆ ଆସ୍ତରଣ।
ବିବଶେ ପ୍ରଭାତ, ନିଃଶବ୍ଦେ ଡାକେ ନଦେଖି ଅରୁଣ,
ଅବଶତା ବଢାଏ ମନେ ଶୀତଳ ବାଷ୍ପୀୟ ସମୀରଣ।
ସୌରାଲୋକ ବାଧକ ସାଜେ ବହଳ ଜଳଦ ଆସ୍ତରଣ,
ଦାଣ୍ଡ , ବାରି ଅଗଣା ଅକ୍ତିଆରେ ସବୁଜ ଶିଉଳି ମସୃଣ।
ଶୁଭ୍ର ପଣତେ ଢାଙ୍କି ଝଲକାଏ ଟଗର ତମାଳ ବଣ,
ତରୁ ଜଗତେ ସବୁଜିମା ଭରେ ଏଇ ମତୁଆଲା ଶ୍ରାବଣ।
ନୀଳକଣ୍ଠ ମସ୍ତକେ ଜଳ ଢାଳି ମହଣ ମହଣ,
ଭକତ କାଉଡ଼ିଆ ମନାସନ୍ତି କେତେ ଯେ କ'ଣ।
ମ୍ଲାନେ ନତ ରାଜୀବ ନ ଲଭି ସମ୍ୟକ୍ ଶୀତାଂଶୁ କିରଣ ,
ସଦା ଅବୁଝା, ଅଛିଣ୍ଡା ପ୍ରକୃତିର ଅନନ୍ୟ ସମୀକରଣ।
ବରଷା ବିହୁନେ ରସାପରେ ଜୀବନ ଯେ ଅକାରଣ ,
ଶୁଝି କି ପାରିବ କେବେ କେହି ତା' ଅବ୍ୟକ୍ତ ଋଣ !
