ଆମ୍ର ଶାଖା
ଆମ୍ର ଶାଖା
ଅହଂ ଆସିନାହିଁ ମନେ ଅଂଶ ବିଶେଷେ ଦେହ ମହାଦୃମ ।
ଲଭିଛି ଆନନ୍ଦ ସଦା ସମ୍ପାଦି ଅନେକ ସହର୍ଚଯ୍ୟ କର୍ମ ।
ବିସ୍ତାରେ ମୋ ବାହୁ ଛତ୍ରସମ ସବୁଜପତ୍ର ଯେତେ ବହଳ ,
ଶୀତଳ ଗହଳ ଛାୟା ପ୍ରାଣୀ ମାରେ ରୌଦ୍ରେ ତାପିତ ଝାଳ।
ଦେବାଦେବୀ ଅର୍ଚ୍ଚନା ଅର୍ପଣେ, ମୋ ବିଶେଷ ସୌଭାଗ୍ଯ,
ପ୍ରଭୁ ଆରାଧନା, ଶ୍ରୀ ଗଣେଶ କାଳେ, ସତେ ମୁଁ ଯୋଗ୍ୟ !
ଦ୍ଵାରଦେଶେ ଶୋଭନ ଶୁଭଙ୍କର କଅଁଳ ପତର ତୋରଣ ,
ଖୋଜା ହୁଏ ତେଣୁ ପରବେ ଉଚ୍ଚ ନିଚ୍ଚରେ ନାହିଁ ବାରଣ ।
ଚହଟାଇ ବଉଳ ବାସ, ମନ୍ଦମନ୍ଦ ବହେ ମଳୟ ପବନ ,
ଗାଏ ଆତ୍ମାନନ୍ଦେ କଳକଣ୍ଠ, କୁହୁତାନେ ଗୁଞ୍ଜେ ଆମ୍ରବନ ।
ଗ୍ରୀଷ୍ମ ପ୍ରବାହେ ନତ ମୋ ବାହୁ, ତା ପରେ ଫଳର ଭାର ,
ଜନଶୂନ୍ଯ ରାସ୍ତାଘାଟ ବିଲବାରି, ଉତ୍ତପ୍ତ ସାରା ଦ୍ଵିପ୍ରହର।
ତୋଟା ଛାଇ, ତତଲା ଖରାବେଳ, ଠୁଳ ଯେତକ ଚୋର ,
ଉନ୍ମତ ଚୌର ଦଣ୍ଡେ ଛଟପଟ,ପଡେ ମାଡ ଟେକା ପଥର।
ରଙ୍ଗେଇ ତନରୁ ମନ ଫଗୁଣ ଫଗୁରେ ଝୁମି ଆସେ ଦୋଳ ,
ବିମାନେ ବିଜେ ରାଧାମାଧବ,କଷିଆମ୍ବ ବାସେ ଭୋଗ ଥାଳ ।
ଅସହ୍ୟ କଷ୍ଟ ବାନରସେନା ନାଟ, ଆମ୍ବ ହେଲେ ପାକଳ ,
କାଳବୈଶାଖୀ ଝଡର ବାଆ ଆହୁରି ଉଜାଡେ ମୋ ଡାଳ।
ଜୈଷ୍ଠ ଆସୁଆସୁ ହୁଏ ହାଲୁକା କମେ କାନ୍ଧେ ଫଳଭାର,
ଆସେ ପୁଣି ବାଳିକା କିଶୋରିଙ୍କ ଖେଳ ରଜ ମଉଜର।
କନ୍ୟାଗଣେ ଧରି ଦୋଳି,ତୋଟା ସାରା ଡାକେ କେଁ କଟର ,
ମହକେଇ ସହକାର ତଳ ନାଚେ ଦୋଳି ପିନ୍ଧି ଗଜରାହାର।
ନାଚିକୁଦି ହସି ଖେଳି ଡାଳେ ଆମୋଦେ ଅଭିଭୂତ ସକଳ ,
ସାର୍ଥକ ମୋ ଜୀବନ ମଣେ, ସବୁ ତ ସେଇ କାହ୍ନାର ଖେଳ ।