ପତର
ପତର
ସ୍ମୃତି ଆଇନା ଦେଖାଏ ,କାଳ ଧାସରେ ଫିକା ଅତୀତର ,
ସୁଢଳ ଛବି,ବାଲ୍ୟସାଥୀ ଚପଳ-ଚଞ୍ଚଳ ମଧୁସୂଦନର।
ଭଲ ପାଉଥିଲା ଭାରି ତୋଟାମାଳ,ବଣ ଗଛ-ପତର ,
ଖେଳହୁଏ ଲୁଚି ଆମ୍ବତୋଟାରେ,ଟଙ୍ଗେଇ ବହି-ପତର।
ଭାବିଲେ ଆଜି ବି ଆସେ ଜକେଇ,କଳ ମୋ ପାଟିର,
ଆମ୍ବକଷି, ଲଙ୍କାଲୁଣ ମିଶ୍ରଣରେ ତା ଠୋଲା-ପତର ।
କେଜାଣି କୋଉଠି ଏବେ ମଧୁଆ ପାଉନି ତା ଖବର,!
ଆଗରୁ ମନେକରି ଦେଉଥିଲା ନିୟମେ ଚିଠି-ପତର।
ବୋଧେ ଅଜଣା ତାକୁ ମୋ ନୂଆ ସଂଖ୍ୟା ଦୁରଭାଷର ,
ପାଇବାକୁ ତା ଠିକଣା ଖୋଜେ ମୁଁ ପୁରୁଣା ନଥି-ପତର ।
ମନେ ଆସେ ସେସବୁ ଦିନ, ବୟସ ଥିଲା ବାର କି ତେର,
ବିଲବାରି ,ତୋଟାମାଳ,ନଈପଠା ବୁଲାର ଆନନ୍ଦ ପ୍ରଚୁର ,
ସରଳଚଳଣି, ନଈମାଛ,ଭରପୂର ସବୁଜ ପରିବା-ପତର ।
ସିଏ ସାଙ୍ଗଠୁ ବଳି,କେଜାଣି କେମିତିଆ ଥିଲା ସେ ଡୋର ,
ଦୁଷ୍ଟାମୀ, କୌତୁକ , ପାଠ ସବୁରେ ସାଙ୍ଗ ତାର ମୋର ।
ନଥିଲା ବି ଆଜିକାଲି ପରି ଉଚ୍ଚ ମାଧ୍ୟମିକ ପାଠର ଭାର।
ପାରି କରିଗଲୁ ସହଜେ ହରଣ ଗୁଣନ ସେ ସମୟର ,
କରିଦେଲା ବିଚ୍ଛେଦ ଉଚ୍ଚ ଶିକ୍ଷା ପ୍ରିୟ ସାଥୀକୁ ମୋର।
ପାଇ ପାରିଥିଲୁ ବିଶେଷ ଅଧ୍ୟୟନର ଦିହେଁ ମାନ-ପତର।
ଆରମ୍ଭିଲା ଜୀବନଚକ ଗଡି କ୍ଷୀପ୍ରତାରେ ନୂଆ ସୋପାନର,
ମାଡି ଚାଲିଲୁ ଉନ୍ମାଦନାର ଶିଖରେ ଅର୍ଜିବାକୁ ପଇସାପତର।
ଆକାଂକ୍ଷାର ମାତ୍ରା ବଢାଇ ଚାଲିଲା ସ୍ୱାଦ ଆମ ସଫଳତାର ,
ବାପାଙ୍କ ଡାକରା ,କରିବାକୁ ବଛାବଛି ବିବାହ ପ୍ରସ୍ତାବର ,
ସ୍ଥିରକଲୁ ଦୃଢମନେ ବିଭାହେବୁ ବିନା ଯୌତୁକପତର।
ଦେବୁନି ପକ୍ଷ ମହାମାରୀ ରୂପି ସାମାଜିକ କୁସଂସ୍କାରର ।
ଲେଖା ହେଲା ଏକ ପ୍ରକାରେ ପାରିବାରିକ ଚୁକ୍ତିପତର।
ଏକା ବରଷେ ଦିହେଁ ସାଜିଥିଲୁ ଯୌତୁକ ବିରୋଧୀ ବର ।
ଚାଲିଛି ତା'ପରୁ ସାବଲିଳ ଜୀବନ ଜଞ୍ଜାଳେ ଆମ ସଂସାର ,
ଅକାଳେ ସକାଳେ ପୂଜା ପାର୍ବଣ୍ୟରେ ଦେଖା ମଧୁ ଓ ମୋର ।
ସଂପୂର୍ଣ୍ଣ ବିରତି ଏବେ ତ ,ବନ୍ଧାସରିଛି ସବୁ କାଗଜ-ପତର ,
ମିଳନ୍ତା କି ଆଜି ସେ , ଜମି ଯାଆନ୍ତା ବଳକା ଗପର ଆସର ,
ଭରସା କେବଳ ଏବେ ଯାହା ନିତିଦିନର ଔଷଧ-ପତର।
ଲୋଡାହୁଏ ସାଙ୍ଗ ସାଥି ବାଣ୍ଟିବାକୁ ଟିକେ ଭାବନା ମନର ।
ନ ହେଲେ ତ ଶରୀର ଧରିବ ଜାବୁଡି ସେଇ ବିଛଣାପତର।
ଖୋଜି ପାଇଲେ ମଧୁକୁ ,ବିତିବ ବଳକା ସମୟ ହସଖୁସିର ।