ଲୀଳାମୟଙ୍କ କୃପା
ଲୀଳାମୟଙ୍କ କୃପା
ମୋ ହାତେ ହେଇଥିବ ପରା କାହାରି କିଛି ତ ଭଲ ,
କରୁଣା ଢାଳି ହେ ଲୀଳାମୟ ତୁମଧାମେ ଡାକିନେଲ ।
ଲକ୍ଷ୍ମୀ ଦେବୀ କେତେ ଯେ ପ୍ରିୟତମ ତୁମ ହେଜିଗଲି ,
ଲକ୍ଷ୍ମୀ ନାମ୍ନୀ ଭକ୍ତ ସଙ୍ଗେ ନେଲ ,ଦିବ୍ୟଦର୍ଶନେ ହଜିଗଲି ।
ମାଗିନାହିଁ ମାଗିବିନି ଧନ, ମାନ, ସୌଖ୍ୟ ଅଧିକ କେବେ ,
କଷ୍ଟ ଭିତରେ ଶାନ୍ତି ଟିକେ ଜୀବନେ ବୁଣି ପାରିବ ଯେବେ।
ଭାବୁଥିଲି କର୍ଣ୍ଣ ନାହଁ ଯେଣୁ ଶୁଣୁନାହଁ ମୋ ମନ ନିରାଶା ,
ଅପଲକ ନୟନେ ଦେଖୁଥାଅ ସବୁ, ଏଠି ଅଲୋଡା ଭାଷା ।
ଜନମିଲା ଦିନୁ କପାଳେ ମୋ ଯାହା ଲେଖି, ଦେଇଛ ଛାଡି ,
ତା ଠାରୁ ଅଧିକ ହେ ଜଗତନାଥ, ମାଗୁଣି ପାରିବି କି ବାଢି !
ବାଇଶିପାହାଚ ଚଢି ଦର୍ଶନ ସତେ କି ପାଇବି ଭାବି ତ ନଥିଲି,
କି ମାୟା ରଚି ଶ୍ରୀକ୍ଷେତ୍ରେ କୃପା ବରଷିଲ ମହାବାହୁକୁ ମେଲି ।
ନୀଳଚକ୍ରେ ଶ୍ରୀମନ୍ଦିର ଚୂଳେ ପତିତପାବନ କହେ ଉଡିଉଡିକି,
ରଖିଥିଲେ ଭକ୍ତି ,ବିଶ୍ବାସ ଦେବେ ପ୍ରଭୁ ଆଶିଷ ଢାଳିଢାଳିକି।
ଅଧାରୁ ଅଧିକ ଜୀବନକାଳ ତୁମ ଭରସାରେ ଗଲାଣି ତ ସରି ,
ବଳକା ଟିକକ ଜୀବନ ଜଞ୍ଜାଳକୁ ଦବ ନା' କିଛି ସହଜ କରି !
କଷ୍ଟ ଦେଇ ମୋତେ ପରୀକ୍ଷା ଯେତେ କଲେ କରୁଥାଅ ପଛେ,
ତୁମ ଦତ୍ତ ଜୀବନ ସଂଗ୍ରାମେ ଲଢିବାକୁ ଦେଉଥିବ ବଳ ନିଶ୍ଚେ।
ଲଢିଲଢି ସରିଯାଉ ସଂସାର ମଞ୍ଚରେ ମୋ ଭୂମିକାର ଖେଳ ,
ରହିଥାଉ କଣ୍ଠେ ଜଗନ୍ନାଥ ନାମ ବୁଡିବା ଯାକେ ମୋ ବେଳ ।
ନାହିଁ କିଛି ଆଉ ମୋ ଅଭିମାନ, ଅଳି ଗୁହାରି କରିବା ପାଇଁ,
କିଞ୍ଚିତ ଦରଶନ ଆଶେ ତୁମ ଚକାଆଖି, ରହିଥିବି ସଦା ଚାହିଁ ।