ପୃଥିବୀ କହେ
ପୃଥିବୀ କହେ
ମାଆ ହବା ଟା କାଳେ ବରଦାନ,
ଏବେ କିନ୍ତୁ ମୁଁ ଖୋଜୁଛି କାତର ହେଇ
କିଏ କୋଉଠି ଅଛ?
ବତେଇ ପାରିବ କି ଠିକଣା ଟେ
ଗୋଟେ ଗାତ ର ପଛେ ହଉ ,
ଯୋଉଠି ପୋତି ହେଇ ପାରିବୁ
ମୁଁ ଆଉ ମୋ ଝିଅମାନେ ଏକାଠି?
ମିଛ ହାହାକାର କରନିରେ ,
ମୁଁ ଆଉ ମାଆ ନୁହେଁ ।
ନହେଲେ ଫାଟିଯାନ୍ତାନି ମୋ ଛାତି
ଗପରେ ବଖାଣିଲା ପରି ?
ଧସି ପଶି ନିଃଶେଷ ହେଇଯାନ୍ତେନି ସେ
ପିଶାଚ ତକ ଗୋଟିଏ ଭୂକମ୍ପରେ ।
ଧୂଳିସାତ୍ ହୁଅନ୍ତାନି ଧରାବକ୍ଷର ଦି ଫାଳ
ଜିଭରେ ପାଶବିକତା ଯେତେ ?
ଉଲ୍କା ପରି ଜାଳିଦିଅନ୍ତାନି
ଏ ଟିଭି ପରଦାରେ ବାରବାର
ବାରୁଦ ଭରୁଥିବା ଦୃଶ୍ୟ ସବୁର
ମୂଳପିଣ୍ଡକୁ ।
ଆତ୍ମାହତ୍ଯା କରିନିଅନ୍ତେ ଯଦି ସବୁ ଝିଅ ମୋର
ତେବେ କି କଣ ଦୁର୍ଗା ଟେ ଜନ୍ମ ନିଅନ୍ତା ?
ସିଏ ବି ଦେଶ ବାଛି ଜନ୍ମେ,
ଯୋଉଠି ପୂଜା ପାଏ ଆଉ ଦଳିତ ହୁଏ
ଗୋଟିଏ ପେଣ୍ଡାଲରେ ।
ଆଛ୍ଛା କହିବ ତ ସେଇ ଶୂନ୍ୟ ସତ୍ତା କୁ
ଯାହାକୁ ଈଶ୍ବର ଈଶ୍ବର କହି ମଥା ପିଟୁଛ ,
ସିଏ କଣ ଛବିରେ ଖାଲି ଖୋଲା ଆଖି ର
ଖୋଳପା ମଡେଇ ପ୍ରହସନ କରୁଛି ?
ନା ଈଶ୍ବର କାହିଁକି ହେଲା ବୋଲି
ଲଜ୍ଜିତ ?
ମୁଁ କିନ୍ତୁ ମାଟି ନୁହେଁ,
ମାଆ ନୁହେଁ,
କିଛି ନୁହେଁ
ଗୋଟେ ଶାପଗ୍ରସ୍ତ ପିଣ୍ଡ
ବୋଲି କହିବିନି ନିଜକୁ
କିନ୍ତୁ ପଣ କଲି ଆଉ ଧରିବିନି
ଏ ନିର୍ଲଜ ଜାତିକୁ
ଜରାୟୁରେ ମୋର ।
କେବେ ନୁହେଁ ।
