ପ୍ରତାରଣାର ସ୍ଵର
ପ୍ରତାରଣାର ସ୍ଵର
ତୁମ ପ୍ରତାରଣାର ବହ୍ନିରେ
ସାରା ଜୀବନ
ଜଳିବା ଅପେକ୍ଷା
ତୁମ ସ୍ମୃତିର ଚାଦର ଓଢେଇ
ଜୀବନ ଜିଇଁବାଟା
ଶ୍ରେୟ ମଣିଲି
ଶରୀରର ପ୍ରତିଟି ଧମନୀରେ
ତୁମ ପ୍ରତାରଣାର ସ୍ଵର
ଗୁଞ୍ଜରିତ ହେଉଥିଲା ବେଳେ
ମୁଁ ସେଥିରୁ ଆଶ୍ବସ୍ତିର ଛୋଟ
ଅଥଚ ନିରର୍ଥକ
ପ୍ରୟାସ ଜାରି ରଖିଛି
ପ୍ରେମରେ ଛଳନାର ମୁଖା ପିନ୍ଧି
ତମେ ସିନା ମୋତେ
ବିବର୍ଣ୍ଣ କରିଦେଲ
ତଥାପି ମୁଁ ତୁମର
ଶୁଭଚିନ୍ତକ ସାଜି
ତୁମ ପାଇଁ ପ୍ରେମର
ପ୍ରଦୀପ ଜାଳି ରଖିଛି
ହାଲ୍କା ପବନର ସ୍ପର୍ଶ ପାଇ
ନିର୍ବାପିତ ହେବା ଭୟରେ
କେତେ ଯେ ରାତ୍ରିନ୍ଦିବ
ଉଜାଗରରେ କାଟିଛି
ତୁମ ପ୍ରେମରେ
ପ୍ରତାରଣାର ମହକ
ଛୁଟୁଥିବା ବେଳେ
ମୁଁ ମୋ ପ୍ରେମରେ ତାକୁ
ଵାସ୍ନାୟିତ କରିବାକୁ
ଶତଚେଷ୍ଟା କରିଚାଲିଛି
ହେଲେ ହେଁ
ମୁଁ ନିରୁତ୍ସାହିତ ହୋଇ
ତୁମକୁ ଆମରଣ
ଅଭିଶାପ ଦେବିନି
କେବଳ ଏତିକି ପ୍ରାର୍ଥନା କରିବି
ହେ ଇଶ୍ଵର!
ପ୍ରେମରେ ପ୍ରତାରଣାର
ସ୍ଵର କାହିଁକି?
ଯଦି ପ୍ରେମରେ
ପ୍ରତାରଣା ଅବଶ୍ୟମ୍ଭାବୀ
ତେବେ ପ୍ରେମରେ
ଚିରନ୍ତନତା ପ୍ରାପ୍ତି କେମିତି ।