ପରକାଳ
ପରକାଳ
ପରକାଳ ଲାଗି ବିଶ୍ୱାସ ଆସେନା
ପରକାଳ ମରୀଚିକା,
କବି ଦେଖିଥାଏ ଇହକାଳ ଛବି
ପଶୁତାର ବିଭୀଷିକା ।
ମଣିଷ ତିଆରି ସେହି ବିଭୀଷିକା
ବିରୁଦ୍ଧେ ବିଦ୍ରୋହ କରି,
ବେସାଲିସ ଭାବେ ଧର୍ମଭଣ୍ଡ ହେବ
ପରକାଳ ଗାଲୁ ମାରି ।
ପରକାଳ ବୋଲି କିଛି ନାହିଁ ପରା
ନାହିଁ ଧର୍ମ ଭଗବାନ,
ସବୁ ତ ଆମର ମନଗଢା କଥା
ଶୁଣ ଭିକାରି ବ୍ରାହ୍ମଣ ।
ପଳାଇ ହବ କି ପରଲୋକେ ଆଉ
ସ୍ୱର୍ଗଟି ଯେଉଁଠି ଅଛି,
ଧରାର ନରକେ ସଂଗ୍ରାମ ଛଡ଼ାଟି
ନାହିଁ ତ ନାହିଁରେ କିଛି ।
ନାରାୟଣ ଯଦି ହୋଇଲେ ଶ୍ରୀକୃଷ୍ଣ
ଜନତା ହେଲେ ଅର୍ଜୁନ,
ଶୋଷକ ଶାସକ କୌରବ ପରାଏ
ପରଲୋକେ ସାଜେ ଧନ ।
ଧନିକ ବଣିକ ଆଜି ଧରଣୀରୁ
ସେ ତ ସାହୁକାର ଜାତି,
ମୂଳପୋଛ ହେବା ପଡ଼େ ଦରକାର
ଆବଶ୍ୟକତା ଅତି ।
ଇହଲୋକେ ଛାଡ଼ି ପଳାଅ ପଳାଅ
ପରଲୋକେ ଯେତେ ସାଧୁ,
ଇହଲୋକେ ଆଜି ଅଗ୍ନିଦଗ୍ଧ ପରା
ଚାରିଆଡ଼େ ଜଳେ ଧୁ ଧୁ ।
ଜୀବନ ମରଣ ଏଠି ମୁଖାମୁଖୀ
ପରଲୋକେ କ'ଣ ସୁଖୀ,
ଏବେ ବି ରହିଛି ପଳାୟନ ପଥ
ଘୃଣ୍ୟ ପେଷା ମନମୁଖୀ ।
ଭାଗବତ ଗୀତା ପାଠ କରି ମନ
ଇହଲୋକରେ ହିଁ ଧନ୍ୟ,
ପରଲୋକେ ନାରାୟଣ ଓ ଶ୍ରୀକୃଷ୍ଣ
ବୁଝ ହେ କେତେ ସେ ମାନ୍ୟ !
