ପୁସ୍ତକ
ପୁସ୍ତକ


ସଂସ୍କୃତି ପ୍ରତୀକ ପୁସ୍ତକ ସମ୍ପଦ
ଭାଷାର ଶବଦ ସୁତ,
ଅମୂଲ୍ୟ ରତନ ବଳିଷ୍ଠ ବିଭବ
ସୃଷ୍ଟି କରେ ସ୍ରଷ୍ଟା ସତ ।
ଗଢ଼ି ତୋଳେ ବସା ଲେଖନୀର ଭାଷା
ପୁସ୍ତକ ମହଲ ସ୍ମୃତି,
ସୁରମ୍ୟ ସାହିତ୍ୟ ରମ୍ୟ ରଚନାର
ଯୁଗେ ଯୁଗେ ଅର୍ଜେ କୀର୍ତ୍ତି ।
ପୁସ୍ତକେ ନିହିତ ସହିତର କାର୍ଯ୍ୟ
ସମାଜର ଚିର ଛବି,
ପୁସ୍ତକ ସମ୍ପତ୍ତି କାବ୍ୟ କଳାକୃତି
କବି ଏକା ଅନୁଭବୀ ।
ପୁସ୍ତକ ସାନ୍ନିଧ୍ୟ ବିଜ୍ଞ ବୈଜ୍ଞାନିକ
ଐକାନ୍ତିକ ମନୋଭାବ,
ଶ୍ଲେଷ ବିଶ୍ଳେଷଣ ଅବା ଉଦ୍ଭାବନ
ସବୁ ତ ନିରୋଳା ଦାନ ।
ପୁସ୍ତକରେ ଜାଣ ପାଠକର ମନ
ଭାବନାର ଅନ୍ତରାଳେ,
ସର୍ବ ବିଶାରଦ ସାହିତ୍ୟ ଗଣିତ
ପୁସ୍ତକର ଅନ୍ତଃକୋଳେ ।
ପୁସ୍ତକ ନିଆରା ଗଦ୍ୟ ପଦ୍ୟ ଧାରା
ସବୁ ତ ସୃଷ୍ଟିର ବିତ୍ତ,
ଗଳ୍ପ ଉପନ୍ୟାସ ପ୍ରବନ୍ଧ ନିବନ୍ଧ
ପାଠକ ପ୍ରାଣର ମିତ ।
ପ୍ରକାର ଭେଦରେ ଭିନ୍ନ ଭିନ୍ନ ସେ ଯେ
ସାହିତ୍ୟ ବିଜ୍ଞାନ କଳା,
ଚେତନା ସର।ଗି ଦୃଶ୍ୟାତ୍ମକ ଭ
ଙ୍ଗୀ
ତ୍ରିପୁରେ ଭିଆଏ ଲୀଳା ।
ସଦା ଅବିରତେ ଜନ ମୁଖେ ଭାସେ
ହସେ ଅଂଶୁମାନ ରବି,
ସୌନ୍ଦର୍ଯ୍ୟ ବିଭବ ମୌକ୍ତିକ ପୁସ୍ତକ
ରମ୍ୟକାନ୍ତି ସୃଷ୍ଟି ଛବି ।
ସାଧକର ସିଦ୍ଧି ସାଧନା ବୃଦ୍ଧି ଯେ
ସେବାରେ ନିମଗ୍ନ ରହି,
ପୁସ୍ତକର ପରିଭାଷା ବିଦ୍ୟମାନ
ବିଶ୍ୱେ ହୁଅ କାଳଜୟୀ ।
କିମ୍ବଦନ୍ତୀ ଠାରୁ ପାଣ୍ଡୁଲିପି ଯାଏଁ
ଲିପିବଦ୍ଧ ଯା'ର ମଧ୍ୟେ,
ଅଜ୍ଞାନ ମାନବ ଜ୍ଞାନ ଲଭେ ସେହୁ
ଅସାଧନ ପଥେ ସାଧେ ।
ବିଦ୍ୟାର୍ଥୀଙ୍କ ପାଇଁ ଜଡିବୁଟି ପ୍ରାୟ
ବୟସ୍କଙ୍କ ଲାଗି ପଥି,
ଅବା ଯାତ୍ରାକାଳେ ବିଜନ ମାନସେ
କରେ କେବେ ନିଜ ସାଥୀ ।
ବଢ଼େ ଯାହା ଲାଗି ଜ୍ଞାନର ଫୁଆରା
ସର୍ବତ୍ର ହେଉ ପୂଜିତ,
ଶୋଭା ବର୍ଦ୍ଧନେ କେତେ ପୁସ୍ତକ ଥାକେ
ଯେ ନାମେ ବିଶ୍ୱବନ୍ଦିତ ।
କଳି ହୁଏ ନାହିଁ ଆଚ୍ଛଦନ ଦେଖି
ଭିତର ଗୁଢ଼ ରହସ୍ୟ,
ମୂଲ୍ୟାୟନ ପୁଣି ପାଠକେ କରନ୍ତି
ପଢ଼ି ତା'ର ସାର ତତ୍ତ୍ୱ ।