ପ୍ରଜାନୁରଞ୍ଜକ ହେ ଶ୍ରୀରାମଚନ୍ଦ୍ର
ପ୍ରଜାନୁରଞ୍ଜକ ହେ ଶ୍ରୀରାମଚନ୍ଦ୍ର
ଖ୍ଯାତ ସୂର୍ଯ୍ଯବଂଶ ରଘୁକୁଳେ ଜାତ
ରାଜା ଦଶରଥ ସୁତ
ପ୍ରଜାନୁରଞ୍ଜକ ହେ ଶ୍ରୀରାମଚନ୍ଦ୍ର
ପଦ୍ମପାଦେ ପ୍ରଣିପାତ ।
ତ୍ରେତୟା ଯୁଗରେ ବିଷ୍ଣୁ ଅବତାର
ରାଜନ ପୁରୁଷୋତ୍ତମ
ଆଦର୍ଶ ଚରିତ୍ର କରଇ ବର୍ଣ୍ଣନା
ମହାକାବ୍ୟ ରାମାୟଣ ।
ପିତୃସତ୍ୟ ପାଳି ଚଉଦ ବରଷ
ବରିନେଲ ବନବାସ
ସଙ୍ଗେ ଗଲେ ମାତା ସୀତା ଓ ଲକ୍ଷ୍ମଣ
ରାଜଭୋଗ ମଣି ତୁଚ୍ଛ ।
ବୀର ସତ୍ଯସନ୍ଧ ହୋଇ ଅବିଚଳ
ବଧିଲ ଦୁଷ୍ଟ ରାବଣ
ପ୍ରତିଷ୍ଠା କରିଲ ସତ୍ଯ ଧର୍ମ ନ୍ଯାୟ
ପାପତାପ ବିନାଶିଣ ।
ପ୍ରଜାଙ୍କ ସନ୍ଦେହ ମୋଚନ ନିମନ୍ତେ
ଆତ୍ମ ସୁଖ କରି ତ୍ଯାଗ
ସୀତା ଦେବୀ ସତୀ ଜାଣିଥିଲେ ମଧ୍ଯ
କଲେ ନିର୍ବାସନ ଭୋଗ ।
ଅପ୍ରତିମ ଶ୍ରେଷ୍ଠ ଅନନ୍ଯ ଚରିତ୍ର
ବଚନେ ପ୍ରତିବଦ୍ଧତା
ବିରାଜୁଛ ପ୍ରଭୁ କୋଟି ସୂର୍ଯ୍ଯସମ
ଧନ୍ଯ ତେଜ ପରାକାଷ୍ଠା ।
ଏହି ଚନ୍ଦ୍ର ସୂର୍ଯ୍ଯ ଗିରି ହିମାଳୟ
ରହିଥିବେ ଯେତେଦିନ
ରହିବ ଅକ୍ଷୟ ହୃଦେ ସ୍ବର୍ଣ୍ଣାକ୍ଷରେ
ରାମନାମ ଚିରନ୍ତନ ।
