ପ୍ରିୟତମା ବର୍ଷା
ପ୍ରିୟତମା ବର୍ଷା
ବରଷା ଗୋ ତୁମେ
କାହା ପ୍ରିୟତମା?
ଘୋଟାଇ ଦେଇଛ
ଅନ୍ଧକାର ଅମା ।
ମେଘେ ଚକ ଚକ୍
ବିଜୁଳି ଆଲୁଏ
ସତେ ଅବା ତୁମେ
ହସୁଛ ଚେନାଏ ।
ବରଷା ଗୋ ତୁମେ
କାହା ପ୍ରଣୟିନୀ?
ପ୍ରେମ ବିନା ଆଜି
ଅବୁଝା ମାନିନୀ ।
ବୁଝିଯାଅ ତୁମେ
ଆଗୋ ଅଦ୍ବିତୀୟା
ତୁମ ବିନା ନାହିଁ
ଏ ସୃଷ୍ଟିର କାୟା ।
ଅନୁପମା ତୁମେ
ଅନନ୍ୟା, ଅଭିଜ୍ଞା ।
ଅମୃତ, ଅମିୟ
ତୁମ ଧାରା ସଂଜ୍ଞା ।
ତୁମ ଆଗମନେ
ଅଶନି ଶବଦେ
ଅର୍ପିତା ଗୋ ତୁମେ
ଅଶେଷ ଅମ୍ବୁଦେ ।
ବରଷା ରାଣୀ ଗୋ
ଏ ଧରା ଆଧାର ।
ତୁମ ବିନା ନାହିଁ
ସ୍ଥିତି ଜଗତର ।
ତୁମରି ଆକ୍ରୋଶେ
ଭାସିବ ଜଗତ ।
ହାସ୍ୟମୟୀ ହୋଇ
ଦୂର କର ଭୀତ ।
ବରଷା ଗୋ ତୁମେ
ପ୍ରଣୟିନୀ ଆଜି ।
ବରଷି ଯାଅ ଗୋ
ପ୍ରିତୀଧାରା ସାଜି ।
ତୁମ ପ୍ରିତୀଧାରା
ବୁଝିଲେ ଜଗତ ।
କରିବେ ତୁମକୁ
ସ୍ନେହେ ଆଲିଙ୍ଗିତ।
ଆଶ୍ବାସିତ କର
ମାନବ ଜାତିକୁ ।
ଉଜାଡି ଦିଅନା
ଆଶ୍ରିତ ମାଟିକୁ ।
ବରଷା ଗୋ ତୁମେ
ସର୍ବ ପ୍ରିୟତମା ।
ଆଶ୍ବସନା ଦେଇ
କରିଦିଅ କ୍ଷମା ।
ବରଷା ତୁମକୁ
ସହସ୍ର ପ୍ରଣାମ ।
କରୁଅଛି କାମ୍ୟ
ଉପସ୍ଥିତି ତୁମ ।
