ପ୍ରିୟାକୁ ଚିଠି
ପ୍ରିୟାକୁ ଚିଠି
ତୁମର ମୋର ବିତିଛି ବହୁ ଦିନରାତି ।
ମନ ହୃଦୟ ଛୁଇଁଛି କେତେ ଯେ ପୀରତି ।।
ସୁଖ ଦୁଃଖ ରାଗ ରୁଷା କଟିଛି ବହୁତ ।
ମତାନ୍ତର ହେଲେ ମଧ୍ୟ ମନାନ୍ତର ନାହିଁ ତ ।।
ବିପଦ ଆପଦ ବହୁ ଭେଟିଛେ ଜୀବନେ ।
କଟି ଯାଇଅଛି ସବୁ ସୂତାକ ପ୍ରମାଣେ ।।
ଜନ୍ମ ଜନ୍ମାନ୍ତରେ ଯେଣୁ ତୁହି ମୋର ସାଥି ।
ତୁଟାଇ ପାରେନି ମୁହିଁ ତୁମଠାରୁ ପ୍ରୀତି ।।
ଏବେ ମାଡିଆସେ ବୟସର ଅମାରାତି ।
ଧବଳ କେଶ ସୂଚାଇ ଦିଏ ମନେ ଭୀତି ।।
ଯାହାସବୁ ହୋଇଗଲା ସବୁ ଆମ ସ୍ମୃତି ।
ବେଳହୁଁ ସତର୍କ ହେବା ଜରୁରୀ ନିହାତି ।।
ଆସୁଛି କାଳ ପାଖେଇ ଟାଣିନେବ ଚୁଟି ।
ଯମପୁରେ ନର୍କ ଯନ୍ତ୍ରଣାରେ ଦେବ ଘାଣ୍ଟି ।।
ସେଥିପାଇଁ ସାବଧାନ କରୁଅଛି ପ୍ରିୟେ ।
ମୋର ଛୋଟକଥା ମାନ ହୋଇଣ ସଦୟେ ।।
କାଳର କାଳ ଅଟଇ ସେହି ମହାକାଳ ।
ତାଙ୍କ ହସ୍ତରେ କାଳଟି ହୁଅଇ ଦୁର୍ବଳ ।।
ସର୍ବ ଦେବତା ଯାହାଙ୍କୁ ନିତିଛନ୍ତି ଧ୍ୟାୟୀ ।
ଯୋଗୀ ଋଷି ମୁନି ଯାର ପାଦେଛନ୍ତି ଲୟୀ ।।
ସେହି ଅଭୟ ପାଦରେ ଯିବାଟି ଶରଣ ।
କାଳଭୟ ନଥିବଟି ଲଭିବା ମରଣ ।।